ଭଞ୍ଜନଗର,୨୩/୧୧(ବାବୁଲା ପ୍ରଧାନ):ସୋମବାର ପ୍ରାଥମିକ ଶିକ୍ଷକ ସଂଘ (NPS) ଭଞ୍ଜନଗର ବ୍ଳକର ସଭାପତି ଜଗଦୀଶ ନାୟକଙ୍କ ନେତୃତ୍ୱରେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ, ଶିକ୍ଷାମନ୍ତ୍ରୀ ଓ ଗଣଶିକ୍ଷା ବିଭାଗର ସଚିବଙ୍କ ଉଦ୍ଦେଶ୍ୟରେ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ମାଧ୍ୟମରେ ଏକ ଦାବିପତ୍ର ପ୍ରଦାନ କରଯାଇଥିଲା। ସଂଘର କହିବା ଅନୁସାରେ ଶିକ୍ଷକଙ୍କ ବିଭିନ୍ନ ଦାବି ପୂରଣ ନିମନ୍ତେ ଏକ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ଗଠନ ହୋଇଥିଲା। ସେହି କମିଟିର ସୁପାରିସ ଆଧାରରେ ସମସ୍ତ ଶିକ୍ଷକଙ୍କ ଦାବି ଗତ ତା ୧୩/୧୧/୨୦୨୬ ରିଖରେ ଘୋଷଣା କରାଯାଇଛି। କିନ୍ତୁ ପ୍ରାଥମିକ ଶିକ୍ଷକଙ୍କୁ ଅବିକଳ କେନ୍ଦ୍ରୀୟ ହାରରେ ଦରମା ଓ ୬ ବର୍ଷର ଚୁକ୍ତି କାର୍ଯ୍ୟକାଳକୁ ନୋସନାଲ ଇନକ୍ରିମେଣ୍ଟ ଦେଇ ମୂଳ ଚାକିରିରେ ଗଣନା କରିବା ଦୁଇ ଦଫା ଦାବି ପୂରଣ କରାଯାଇ ନାହିଁ। ଯାହା ଫଳରେ ପ୍ରାଥମିକ ଶିକ୍ଷକମାନଙ୍କ ମନରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।
ଏଣୁ ଉପରୋକ୍ତ ବିଷୟକୁ ହୃଦୟଙ୍ଗମ କରି ଓ ଉଚ୍ଚ କ୍ଷମତା ସମ୍ପନ୍ନ କମିଟିର ସୁପାରିସକୁ ପୁନଃବିଚାର କରି ପ୍ରାଥମିକ ଶିକ୍ଷକଙ୍କ ଦାବି ଆସନ୍ତା ନଭେମ୍ବର ୨୫ ସୁଦ୍ଧା ପୂରଣ କରିବାକୁ ଅନୁରୋଧ କରୁଛୁ। ଅନ୍ୟଥା ସମସ୍ତ ପ୍ରାଥମିକ ଶିକ୍ଷକ ବାଧ୍ୟ ହୋଇ ଆସନ୍ତା ୨୭/୧୧/୨୦୨୬ ରିଖରେ ରାଜ୍ୟ ବିଧାନସଭା ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ କରିବୁ। ଏହା ପରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନେଇକି ଗୋଟିଏ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ସଭପତିଙ୍କ ସହ ସଂଘର ସମ୍ପାଦକ, ସଂଘର ସମସ୍ତ ସଦସ୍ୟ ଓ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ।