ସଙ୍କଟରେ ପ୍ରାଥମିକ ସ୍ବାସ୍ଥ୍ୟସେବା

ବଇଣ୍ଡା,୨।୭(ଡି.ଏନ.ଏ.) ୩ ବର୍ଷ ହେଲା ଖାଲି ପଡ଼ିଛି ଡାକ୍ତର ପଦବୀ। ଷ୍ଟାଫନର୍ସ, କମ୍ପାଉଣ୍ଡର ଓ ସୁଇପର ମଧ୍ୟ ନାହାନ୍ତି। ଚିକିତ୍ସା ପାଇଁ ଆସୁଥିବା ରୋଗୀ କିପରି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସେ ନେଇ ଜିଲା ପ୍ରଶାସନ, ବିଧାୟକଙ୍କୁ ବାରମ୍ବାର ଅବଗତ କରିଛନ୍ତି ଅଞ୍ଚଳବାସୀ। ହେଲେ ଏହି ସମୟ ମଧ୍ୟରେ ଜଣେ ଏମ୍‌ବିବିଏସ୍‌ ଡାକ୍ତରଙ୍କୁ ନିଯୁକ୍ତି ଦେଇପାରିନାହାନ୍ତି ସରକାର। ଅନୁଗୋଳ ଜିଲା କିଶୋରନଗର ବ୍ଲକ ଅଙ୍ଗପଡ଼ା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ପ୍ରତି ଏପରି ସରକାରୀ ଅବହେଳା ଯୋଗୁ ଏଠାକାର ୩୫ ହଜାର ଲୋକଙ୍କ ପ୍ରାଥମିକ ସ୍ବାସ୍ଥ୍ୟସେବାରେ ସୃଷ୍ଟି ହୋଇଛି ସଙ୍କଟ।
ଅଙ୍ଗପଡା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ଅଙ୍ଗପଡା, ଧଡରପାଳ, ଝରାବେରେଣୀ, ସଞ୍ଜାମୁରା, ନାକିଚି, ଠେଲକନାଳି, ଊରୁକୁଳା, ହିମିତିରା ପଞ୍ଚାୟତବାସୀ ଚିକିତ୍ସା ପାଇଁ ନିର୍ଭରଶୀଳ। କିନ୍ତୁ ଏଠାରେ ଥିବା ଏକମାତ୍ର ଏମ୍‌ବିବିଏସ୍‌ ଡାକ୍ତରଙ୍କୁ ସରକାର ୨୦୧୯ ମସିହାରୁ କିଶୋରନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଡେପୁଟେଶନରେ ପଠାଇ ଦେବା ପରଠାରୁ ଏହି ସ୍ବାସ୍ଥ୍ୟକେନ୍ଦ୍ରର ରୋଗୀସେବା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି। ବିଶେଷକରି ଏଠାକାର ଅନେକ ଅଞ୍ଚଳ ଜଙ୍ଗଲ ଅଧ୍ୟୁଷିତ ହୋଇଥିବାରୁ ଚିକିତ୍ସା ସେବା ପାଇଁ ଲୋକଙ୍କୁ ବହୁ ହଇରାଣ ହେବାକୁ ପଡ଼ୁଛି। ଥଣ୍ଡା କି ଜ୍ୱର ହେଲେ ରୋଗୀଙ୍କୁ ୧୦ କି.ମି. କିଶୋରନଗର ନଚେତ ୭୦ କି.ମି. ଦୂର ଅନୁଗୋଳ ଜିଲା ସ୍ବାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରିବାକୁ ହେଉଛି। ଦୀର୍ଘବର୍ଷ ହେଲା ଷ୍ଟାଫନର୍ସ ପଦବୀ ଖାଲି ପଡ଼ିଥିବାରୁ ଗ୍ରାମାଞ୍ଚଳରୁ ଆସୁଥିବା ଗର୍ଭବତୀମାନଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ଫଳରେ ଶେଷ ମୁହୂର୍ତ୍ତରେ ସେମାନଙ୍କୁ କିଶୋରନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇ ଦିଆଯାଉଛି। ଏଠାରେ କେବଳ ଜଣେ ଆୟୁଷ ଡାକ୍ତର ଥିବାବେଳେ କମ୍ପାଉଣ୍ଡର ଗତ ୩୦ ତାରିଖରେ ଅବସର ନେଇଛନ୍ତି। ଡାକ୍ତରଖାନା ସଫେଇ ପାଇଁ ସୁଇପର ମଧ୍ୟ ନାହାନ୍ତି। ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ଔଷଧ ଠିକ୍‌ ଭାବେ ମିଳୁ ନ ଥିବା କେନ୍ଦୁନାଳି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଅଙ୍ଗପଡା ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ଥାୟୀ ଡାକ୍ତର ନିଯୁକ୍ତ ପାଇଁ ୧୦ ଡିସେମ୍ବର ୨୦୧୯, ୫ ମାର୍ଚ୍ଚ ୨୦୨୦, ୨୯ ମେ ୨୦୨୧ରେ ଧଡରପାଳ ପଞ୍ଚାୟତବାସୀ ଜିଲା ପ୍ରଶାସନ ନିକଟରେ ଦାବି କରିଥିଲେ। ଏପରି କି କିଛି ମାସ ତଳେ ବଇଣ୍ଡାଠାରେ ଆୟୋଜିତ ସ୍ବାସ୍ଥ୍ୟମେଳାରେ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଓ ଆଠମଲ୍ଲିକ ବିଧାୟକଙ୍କୁ ଭେଟି ସମସ୍ୟା ଜଣାଇଥିଲେ। ହେଲେ ପ୍ରାଥମିକ ସ୍ବାସ୍ଥ୍ୟସେବାରେ ସୃଷ୍ଟି ହୋଇଥିବା ଏହି ଅସୁବିଧା ଦୂର ପାଇଁ ପ୍ରଶାସନ ପଦକ୍ଷେପ ନେଇ ନ ଥିବାରୁ ଆଗାମୀ ଦିନରେ ଆନ୍ଦୋଳନ କରିବାକୁ ପଞ୍ଚାୟତବାସୀ ଚେତାବନୀ ଦେଇଛନ୍ତି।