ଧାଡ଼ି ଲାଗିଲେ ବଢ଼ୁଛି ଧଡ଼ା ଦର

ଅନୁଗୋଳ ଅଫିସ, ୧୭ା୫:  ଅତ୍ୟାବଶ୍ୟକ ସାମଗ୍ରୀ କ୍ରୟ-ବିକ୍ରୟ ପାଇଁ ଲକ୍‌ଡାଉନ୍‌ କଟକଣାରେ ସାମାନ୍ୟ କୋହଳ ଦିଆଯାଇଛି। ସପ୍ତାହାନ୍ତ ଶଟ୍‌ଡାଉନ୍‌କୁ ବାଦ ଦେଇ ସୋମବାରରୁ ଶୁକ୍ରବାର ସକାଳ ୬ରୁ ମଧ୍ୟାହ୍ନ ୧୨ଟା ଯାଏ ପରିବା ଓ ରାଶନ ଦୋକାନ ଖୋଲାଯାଉଛି। ହେଲେ କରୋନାକୁ ଭୟ କରି ଲୋକେ ଏତେ ବ୍ୟତିବ୍ୟସ୍ତ ହେଉଛନ୍ତି ଯେ ସାମାଜିକ ଦୂରତ୍ୱ ନ ରଖି ଚଢ଼ାଚଢ଼ି ହୋଇ ପରିବା ଓ ରାଶନ କିଣୁଛନ୍ତି। ବିଶେଷକରି ସପ୍ତାହାନ୍ତ ଶଟ୍‌ଡାଉନ୍‌ ପରଦିନ ସୋମବାର ବଜାରରେ ଅଧିକ ଭିଡ଼ ପରିଲକ୍ଷିତ ହେଉଛି। ଆଉ ଏହାକୁ ସୁଯୋଗ ଭାବି କେତେଜଣ ଅସାଧୁ ବ୍ୟବସାୟୀ ଆଳୁ, ପିଆଜ ଧଡ଼ା (ଅଢ଼େଇ କେଜି) ପ୍ରତି ମୂଲ୍ୟ ବଢ଼ାଇ ଗ୍ରାହକଙ୍କୁ ଲୁଟିବାରେ ଲାଗିଛନ୍ତି। ଅନୁଗୋଳର ବିଭିନ୍ନ ବଜାରରେ ଗ୍ରାହକ ଏପରି ଶୋଷଣର ଶିକାର ହେଉଥିବା ଅଭିଯୋଗ ବଢ଼ିବାରେ ଲାଗିଛି। ଯୋଗାଣ ବିଭାଗ ଅତ୍ୟାବଶ୍ୟକ ସାମଗ୍ରୀର ଦର ତାଲିକା ସାଧାରଣରେ ପ୍ରକାଶ କରୁ ନ ଥିବାରୁ ଅସାଧୁ ବ୍ୟବସାୟୀମାନେ ଚଢ଼ା ମୂଲ୍ୟ ନେଉଥିବା ସହରବାସୀ କହିଛନ୍ତି।
ଅନୁଗୋଳ ଜିଲାର ବିଭିନ୍ନ ବଜାରରେ ଆଳୁ, ପିଆଜ ଦର କେଜି ପିଛା ୩୦ ଛୁଇଁଲାଣି। ଏହାକୁ ଦେଖି ରାଶନ ସାମଗ୍ରୀ ବିକୁଥିବା କେତେଜଣ ଅସାଧୁ ବ୍ୟବସାୟୀ, ଚାଉଳ, ଡାଲି ଦର ମଧ୍ୟ ବଢ଼ାଇ ଦେଇଛନ୍ତି। ଲକ୍‌ଡାଉନ୍‌ରେ ମାଲ୍‌ ପରିବହନ ସ୍ବାଭାବିକ ଥିଲେ ବି କେତେବେଳେ ଗାଡ଼ି ଆସୁ ନ ଥିବା ଓ ସାମଗ୍ରୀ ଅଭାବ ଥିବା ଦର୍ଶାଇ ସମ୍ପୃକ୍ତ ବ୍ୟବସାୟୀମାନେ ଗ୍ରାହକଙ୍କ ଠାରୁ ଚଢ଼ା ଦର ନେଉଛନ୍ତି। ଆଳୁ କୁଇଣ୍ଟାଲ ପିଛା ୧୨ଶହ ଟଙ୍କା କିଣା ରହୁଥିବାବେଳେ ପିଆଜ କୁଇଣ୍ଟାଲ ପିଛା ୧୯ଶହ ଟଙ୍କାରେ ବ୍ୟବସାୟୀମାନେ କିଣି ୩୦ ଟଙ୍କାରୁ ଅଧିକ ମୂଲ୍ୟରେ ବିକ୍ରି କରୁଛନ୍ତି। କେତେକ ସ୍ଥାନରେ ଆଳୁ ୪୦ ପାଖାପାଖି ସ୍ଥିତିରେ ପହଞ୍ଚିଲାଣି। ଅଭିଯୋଗ ବଢ଼ିବା ପରେ ଜିଲା ପ୍ରଶାସନ ପକ୍ଷରୁ ତାଗିଦ୍‌ କରାଯିବାରୁ ଯୋଗାଣ ବିଭାଗର ନିଦ ଭାଙ୍ଗିଛି। ବିଭିନ୍ନ ବଜାରରେ ଚଢ଼ାଉ କରାଯାଉଛି। କିନ୍ତୁ ଅସାଧୁ ବ୍ୟବସାୟୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେଉ ନ ଥିବାରୁ ଏହାର ସୁଫଳ ଲୋକଙ୍କୁ ମିଳୁନି। ଅନ୍ୟପକ୍ଷରେ କେତେଜଣ ବ୍ୟବସାୟୀ କହିଛନ୍ତି, ଲକଡାଉନ୍‌ ଓ ସପ୍ତାହାନ୍ତ ଶଟ୍‌ଡାଉନ୍‌ ପାଇଁ ଲୋକମାନେ ଏକାଥରକେ ଅଧିକ ସାମଗ୍ରୀ କିଣିବାକୁ ଚାହଁୁଛନ୍ତି। ତେଣୁ ବାରମ୍ବାର ମାଲ୍‌ ମଗାଇବାକୁ ପଡ଼ୁଛି। ଗାଡ଼ି ଭନା ଅଧିକ ଦେବାକୁ ପଡ଼ୁଥିବାବେଳେ ଗୋଦାମରେ ଦର ମଧ୍ୟ ସ୍ଥିର ରହୁନାହିଁ। ସେଥିପାଇଁ କେତେକ ସ୍ଥାନରେ ବ୍ୟବସାୟୀ ଚଢ଼ା ମୂଲ୍ୟ ନେଉଛନ୍ତି।

ସ୍ବତନ୍ତ୍ର ଦୃଷ୍ଟି ଦେବାକୁ କୁହାଯିବ
ଯେଉଁମାନେ ଧାର୍ଯ୍ୟ ଦର ଠାରୁ ଅଧିକ ମୂଲ୍ୟରେ ସାମଗ୍ରୀ ବିକ୍ରି କରୁଛନ୍ତି, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ନିୟମିତ ଚଢ଼ାଉ ମଧ୍ୟ ହେଉଛି। ଆଗାମୀ ଦିନରେ ଏହି ଚଢ଼ାଉକୁ ଜୋରଦାର କରିବାକୁ ଓ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ବିଭାଗୀୟ ଅଧିକାରୀଙ୍କୁ କୁହାଯିବ।
-ବାସୁଦେବ ଶତପଥୀ, ଉପଜିଲାପାଳ, ଅନୁଗୋଳ

ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଉଛି
ଅନୁଗୋଳର ବିଭିନ୍ନ ସ୍ଥାନରେ କେତେଜଣ ବ୍ୟବସାୟୀ ଚଢ଼ା ଦରରେ ଆଳୁ ଓ ପିଆଜ ବିକ୍ରି କରୁଛନ୍ତି। ଏ ନେଇ ବିଭାଗ ନିକଟରେ ସୂଚନା ପହଞ୍ଚିଛି। ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ ମଧ୍ୟ କରାଯାଉଛି। ଏଣିକି ହାଟ ଓ ବଜାରରେ ଜୋରଦାର ଯାଞ୍ଚ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
-ଶ୍ରୀନିବାସ ମିଶ୍ର, ସହକାରୀ ଯୋଗାଣ ଅଧିକାରୀ

ଲୋକଦେଖାଣିଆ ଚଢ଼ାଉ
ମହାମାରୀ ସମୟରେ ଅସାଧୁ ବ୍ୟବସାୟୀମାନେ ଲୋକଙ୍କୁ ଲୁଟୁଛନ୍ତି। କିନ୍ତୁ ଯୋଗାଣ ବିଭାଗ ନୀରବଦ୍ରଷ୍ଟା ସାଜିଛି। କେବଳ ଲୋକଦେଖାଣିଆ ଭାବେ ଚଢ଼ାଉ କରାଯାଉଛି। କିନ୍ତୁ ବାସ୍ତବରେ କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ। ଅସାଧୁ ବ୍ୟବସାୟୀମାନଙ୍କୁ ସାବାଡ଼ କରାଯିବା ଦରକାର।
-ଶିଶିର କୁମାର ପ୍ରଧାନ, ଅନୁଗୋଳ

ଗରିବଙ୍କ ପକେଟକୁ ବାଧୁଛି
ବଜାରରେ ଅସାଧୁ ବ୍ୟବସାୟୀମାନେ ଗ୍ରାହକଙ୍କୁ ଲୁଟୁଥିବାରୁ ଅନେକ ଗରିବ ଲୋକଙ୍କ ପକେଟକୁ ବାଧୁଛି। ସେମାନଙ୍କ ପକ୍ଷେ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା କଷ୍ଟକର ହୋଇପଡ଼ୁଛି। ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବା ଦରକାର। ଏହା ନ ହେଲେ ମହାମାରୀ ସମୟରେ ଲୋକେ ପରିବାର ମୁହଁରେ ଖାଦ୍ୟ ପହଞ୍ଚାଇ ପାରିବେ ନାହିଁ। ଅନାହାରରେ ଅନେକ ଲୋକଙ୍କ ମୃତ୍ୟୁ ହେବ।
-ରଞ୍ଜନ ବାରିକ, ଅନୁଗୋଳ

ନିର୍ଦ୍ଧାରିତ ଦରରେ ବିକ୍ରି କର
ମହାମାରୀ ସମୟରେ ଲୋକମାନେ ସମସ୍ୟାରେ ଗତି କରୁଛନ୍ତି। ତେଣୁ ଅତ୍ୟାବଶ୍ୟକ ସାମଗ୍ରୀ ଦର ବୃଦ୍ଧି ଯାଥାର୍ଥ ନୁହେଁ। ଯେଉଁ ସାମଗ୍ରୀର ଚାହିଦା ଅଧିକ ରହୁଛି, ତାହାକୁ ଏକ ନିର୍ଦ୍ଦିଷ୍ଟ ପରିମାଣରେ ବିକ୍ରି କଲେ ସମସ୍ୟା ହେବନାହିଁ। ବଜାରକୁ ମାଲ୍‌ ସହଜରେ ଆସିପାରୁଛି। ତେଣୁ ବ୍ୟବସାୟୀମାନେ ଏପରି ଅସାଧୁ କାର୍ଯ୍ୟରୁ ଦୂରେଇ ରୁହନ୍ତୁ।
-ନୀଳାଞ୍ଚଳ ପ୍ରଧାନ, ସମ୍ପାଦକ, ଅନୁଗୋଳ ଜିଲା ବଣିକ ସଂଘ


Enter your email to get our daily news in your inbox.

All Right Reserved By Dharitri.Com

ଶିକାରୀ ଫାଶରେ ପଡିଲା କଲରାପତରିଆ ବାଘ: ଗର୍ଜନ ଶୁଣି…

ଅନୁଗୋଳ,୯।୧୨(ମାନସ ବିଶ୍ୱାଳ): ଶିକାରୀ ଫାଶରେ ପଡିଲା କଲରାପତରିଆ ବାଘ, ଅନୁଗୋଳ ରେଞ୍ଜ ପୁରୁଣା ଗଡ଼ ସେକ୍ସନ କରତପଟା ବିଟ ଅନ୍ତର୍ଗତ ଜଙ୍ଗଲରେ ଫାଶରେ ପଡିଛି କଲରାପତରିଆ...

ବାୟୁ ପ୍ରଦୂଷଣ: ଦେଶର ୬ଷ୍ଠ ସ୍ଥାନରେ ଅନୁଗୋଳ

ଅନୁଗୋଳ,୨୭।୧୧(ଦିବ୍ୟଶାନ୍ତନୁ ନାଥ): ଅନୁଗୋଳ ଜିଲାରେ ବାୟୁର ମାନ ୩ଦିନ ହେବ ଲଗାତର ବିପଦସଂକେତ ଉପରେ ରହିଛି। ବାୟୁମଣ୍ଡଳରେ ଦିନକୁ ଦିନ ପ୍ରଦୂଷଣର ମାତ୍ରା ବୃଦ୍ଧି ହେଉଥିବା...

ପରକୀୟା ପ୍ରୀତିରୁ ଯୁବକଙ୍କୁ ଠେଙ୍ଗାରେ ପିଟି ହତ୍ୟା

ବନ୍ତଳା,୨୩।୧୧ (ସୁଶିତ ସାହୁ): ପରକୀୟା ପ୍ରୀତିରୁ ଘଟିଛି ହତ୍ୟାକାଣ୍ଡ। ଜଣେ ଯୁବକଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କରାଯାଇଛି । ଅନୁଗୋଳ ବ୍ଲକ ବନ୍ତଳା ଥାନା...

ଆଉଘରକୁ  ଫେରିଲେନି ଡେଲିଭରି ବୟ ବୟ: ଲକ୍ଷ୍ମୀବସ୍‌ ସହ ହେଲା…

ବଇଣ୍ଡା,୨୦।୧୧(ପରୀକ୍ଷିତ ସାହୁ): ଅନୁଗୋଳ ଜିଲା ଠାକୁରଗଡ ଥାନା ଦିନବନ୍ଧୁପୁର ନିକଟରେ ଗୁରୁବାର ସକାଳେ ଲକ୍ଷ୍ମୀ ବସ୍‌ ସହ ଏକ ବାଇକ ମୁହାଁମୁହିଁ ଧକ୍କା ହୋଇଛି। ଏହି...

ଗଛରେ ପିଟିହେଲା ବାଇକ୍‌, ଚାଲିଗଲା ଜଣଙ୍କ ଜୀବନ

ବଇଣ୍ଡା,୧୬ା୧୧(ପରୀକ୍ଷିତ ସାହୁ): ଅନୁଗୋଳ ଜିଲା ଠାକୁରଗଡ଼ ଥାନା ଚିନ୍ତାମଣିପୁର ନିକଟରେ ରବିବାର ସନ୍ଧ୍ୟାରେ ଏକ ବାଇକ୍‌ ଗଛରେ ପିଟି ହୋଇଯିବାରୁ ଜଣଙ୍କର ଜୀବନ ଯାଇଛି। ମୃତକ...

ଅପରାଧୀଙ୍କୁ ଗିରଫ ଦାବିରେ ଜିଲାପାଳ ଅଫିସ ସମ୍ମୁଖରେ ବିକ୍ଷୋପ

ଅନୁଗୋଳ, ୧୧।୧୧ ( ମାନସ ବିଶ୍ୱାଳ): ଅଲ ଇଣ୍ଡିଆ ମୂଳନିବାସୀ ସଂଘ ପକ୍ଷରୁ ଘର ପୋଡିଥିବା ଅପରାଧୀଙ୍କୁ ଗିରଫ ଦାବିରେ ମଙ୍ଗଳବାର ଜିଲାପାଳ ଅଫିସ ସମ୍ମୁଖରେ...

ଡିଭାଇଡରରେ ପିଟିହେଲା ତୀର୍ଥଯାତ୍ରୀ ଗାଡ଼ି

ବଇଣ୍ଡା,୭ା୧୧(ପରୀକ୍ଷିତ ସାହୁ): କଟକ ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜ ପଥର ହଣ୍ଡପା ଥାନା ଲୁହାମୁଣ୍ଡାଠାରେ ଶୁକ୍ରବାର ଭୋର୍‌ ସମୟରେ ଏକ ତୀର୍ଥଯାତ୍ରୀ ଗାଡ଼ି ଡିଭାଇଡରରେ...

ଅନୁଗୋଳରେ ଲଜ୍ଜା: ନାବାଳିକା ଭଉଣୀକୁ ବଳତ୍କାର କଲା ଭାଇ

ଛେଣ୍ଡିପଦା,୩।୧୧: ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ଅଞ୍ଚଳରେ ନିଜ ନାବାଳିକା ଭଉଣୀକୁ ବଡ଼ ଭାଇ ବଳତ୍କାର କରିଥିବା ଅଭିଯୋଗ ହୋଇଛି। ଘରେ କେହି ନଥିବା ବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri