ସାହାଯ୍ୟ ମାଗିବା ବାହାନାରେ ଶିକ୍ଷକଙ୍କଠାରୁ ବାଇକ୍‌ ନେଇ ଚମ୍ପଟ ମାରିଲେ ଦୁର୍ବୃତ୍ତ, ଢ଼ାବା ଆଗରେ…

ଗଞ୍ଜାମ, ୨୬।୫ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ଛତ୍ରପୁର ଅଞ୍ଚଳରେ ଏକ ଚମକାଇ ଦେଲା ଭଳି ବାଇକ ଚୋରି ଘଟଣା ସାମ୍ନାକୁ ଆସିଛି। ଜଣେ ଦୁର୍ବୃତ୍ତ ସାହାଯ୍ୟ ମାଗିବା ବାହାନାରେ ଅତି ଚତୁରତାର ସହ ଛତ୍ରପୁର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଜଣେ ଗୁରୁଜୀଙ୍କ ବାଇକ ନେଇ ଚମ୍ପଟ ମାରିଛି। ତେବେ ପରବର୍ତ୍ତୀ ସମୟରେ ଚୋରଟି ପୋଲିସ ହାତରେ ଧରାପଡ଼ିଥିବା ସୂଚନା ମିଳିଛି।
ସୂଚନା ଅନୁଯାୟୀ, ଶିଶୁ ମନ୍ଦିରର ଗୁରୁଜୀ ଜଣଙ୍କ କୌଣସି ବ୍ୟକ୍ତିଗତ କାମରେ ଗଞ୍ଜାମରୁ ଛତ୍ରପୁର ଅଭିମୁଖେ ଯାଉଥିଲେ। ପାଲିଆ ଛତ୍ରପୁର ସ୍ଥିତ ଏକ ଢାବା ସମ୍ମୁଖରେ ଗୁରୁଜୀ ଅଟକିଥିବା ବେଳେ ଜଣେ ଅଜଣା ବ୍ୟକ୍ତି ତାଙ୍କ ପାଖକୁ ଆସି ସାହାଯ୍ୟ ମାଗିଥିଲେ।
ସେ କହିଥିଲେ ଯେ, ତାଙ୍କ ଗାଡ଼ି ଷ୍ଟାର୍ଟ ହେଉନି, ଆଗରେ ଏକ ଗ୍ୟାରେଜ ଅଛି। ମୋ ଗାଡ଼ିକୁ ଆପଣଙ୍କ ଗାଡ଼ିରେ ଟିକେ ଟାଣି ନେଇଯିବେ କି? ଗୁରୁଜୀ ଏଥିରେ ଅସମର୍ଥତା ପ୍ରକାଶ କରିବାରୁ, ଦୁର୍ବୃତ୍ତ ଜଣକ କହିଥିଲେ ଯେ ସେ ନିଜେ ତାଙ୍କ ଗାଡ଼ି ଚଲାଇବେ। ଏପରି କହି ସେ ଗୁରୁଜୀଙ୍କ ବାଇକ୍‌ଟିକୁ ଷ୍ଟାର୍ଟ କରି ସେଠାରୁ ଦ୍ରୁତ ଗତିରେ ଫେରାର୍‌ ହୋଇଯାଇଥିଲେ।
ଅତି ଚତୁରତାର ସହ ଗୁରୁଜୀଙ୍କ ଆଖି ସାମ୍ନାରେ ଗାଡ଼ି ନେଇ ଚୋର ପଳାଇବା ପରେ ଗୁରୁଜୀ ନିରାଶ ହୋଇ ଛତ୍ରପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ତେବେ ଆଶ୍ଚର୍ଯ୍ୟର କଥା ହେଉଛି, ଚୋରଟି ଢାବା ଆଗରେ ଯେଉଁ ବାଇକକୁ ନିଜର ବୋଲି କହି ଛାଡ଼ି ଯାଇଥିଲା, ତାହା ମଧ୍ୟ ଏକ ଚୋରି ବାଇକ ବୋଲି ପରେ ଜଣାପଡ଼ିଥିଲା।
ପରେ ଉକ୍ତ ବାଇକ ଚୋରଟି ବ୍ରହ୍ମପୁର ଅଞ୍ଚଳରେ ପୋଲିସ ହାତରେ ଧରାପଡ଼ିଥିବା ଜଣାପଡ଼ିଛି। ଚୋରି ହୋଇଥିବା ଗୁରୁଜୀଙ୍କ ବାଇକକୁ ବର୍ତ୍ତମାନ ବ୍ରହ୍ମପୁରର ବୈଦ୍ୟନାଥପୁର ଥାନାରେରଖାଯାଇଥିବା ଜଣାପଡ଼ିଛି। ପୋଲିସ ଏହି ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି।
Dharitri – Odisha’s No.1 Odia Daily

Share