ସରକାରଙ୍କ ଉପରେ ବଢୁଛି ଚାପ: ଏବେ କ’ଣ କରିବେ ମୋଦି

ନୂଆଦିଲ୍ଲୀ,୨୫ା୭(ପି.ଟି./ଏଜେନ୍ସି): କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ସିଜେପି ପକ୍ଷରୁ ଚାଲିଥିବା ଆନ୍ଦୋଳନ ସରକାରଙ୍କ ଉପରେ ବଡ଼ ଚାପ ସୃଷ୍ଟି କରିଛି। ଶୁକ୍ରବାର ସରକାର ଓ ସିଜେପି ନେତାଙ୍କ ମଧ୍ୟରେ ଅନୁଷ୍ଠିତ ୨ଘଣ୍ଟାର ବୈଠକ ପରେ ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ନିଷ୍ପତ୍ତି ପାଇଁ ସରକାର ଶନିବାର ଅପରାହ୍ଣ ପର୍ଯ୍ୟନ୍ତ ସମୟ ମାଗିଥିବା ସିଜେପି ପକ୍ଷରୁ ସୂଚନା ଦିଆଯାଇଛି।
ନୂଆଦିଲ୍ଲୀର ପାର୍ଲାମେଣ୍ଟ ଷ୍ଟ୍ରିଟ୍‌ସ୍ଥିତ ବିଠଲ୍‌ଭାଇ ପଟେଲ ହାଉସ୍‌ରେ କେନ୍ଦ୍ରମନ୍ତ୍ରୀ ଜେ.ପି. ନଡ୍ଡା ଏବଂ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ, ସିଜେପି ମୁଖ୍ୟ ପ୍ରବକ୍ତା ସୌରଭ ଦାସ ଓ ଜାତୀୟ ପ୍ରବକ୍ତା ଆଶୁତୋଷ ରାଙ୍କାଙ୍କ
ସହ ଆଲୋଚନା କରିଛନ୍ତି। ବୈଠକ ପରେ ରାଙ୍କା ଖବରଦାତାମାନଙ୍କୁ କହିଛନ୍ତି, ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି ସହ କୌଣସି ସାଲିସ ହେବ ନାହିଁ। ଏ ସମ୍ପର୍କରେ ଆମେ ସ୍ପଷ୍ଟ ଭାବେ କହିବା ପରେ ସରକାର ଶନିବାର ପର୍ଯ୍ୟନ୍ତ ସମୟ ନେଇଛନ୍ତି। ଏତଦ୍‌ବ୍ୟତୀତ ଏନ୍‌ଇଇଟି ବିବାଦରେ ଆତ୍ମହତ୍ୟା କରିଥିବା ପରୀକ୍ଷାର୍ଥୀଙ୍କ ପରିବାରକୁ କ୍ଷତିପୂରଣ ଏବଂ ଆନ୍ଦୋଳନକାରୀ ଛାତ୍ରୀଛାତ୍ରଙ୍କ ବିରୋଧରେ ହୋଇଥିବା ସମସ୍ତ ଏଫ୍‌ଆଇଆର୍‌ ପ୍ରତ୍ୟାହାର କରିବା ଦାବିକୁ ସରକାର ମୂଳତଃ ସ୍ବୀକାର କରିଛନ୍ତି।
ଅନ୍ୟପକ୍ଷରେ ଏନ୍‌ଇଇଟି ପରୀକ୍ଷା ବିବାଦ ଓ ଶିକ୍ଷା ସଂସ୍କାର ଦାବିରେ ଗୁରୁତର ଅସୁସ୍ଥ ହୋଇ ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବିଶିଷ୍ଟ ସାମାଜିକ କର୍ମୀ ସୋନମ ୱାଙ୍ଗ୍‌ଚୁକ ନିଜର ୨୬ ଦିନିଆ ଅନଶନ ଭାଙ୍ଗିଛନ୍ତି। କେନ୍ଦ୍ରମନ୍ତ୍ରୀ ଜେ.ପି. ନଡ୍ଡା ଓ ଜିତେନ୍ଦ୍ର ସିଂହଙ୍କ ଉପସ୍ଥିତିରେ ସରକାରଙ୍କ ପକ୍ଷରୁ ମିଳିଥିବା ଲିଖିତ ପ୍ରତିଶ୍ରୁତି ପତ୍ର ଗ୍ରହଣ କରିବା ପରେ ସେ ଅନଶନ ଶେଷ କରିଛନ୍ତି। କେବଳ ମୌଖିକ ଆଶ୍ୱାସନା ପରିବର୍ତ୍ତେ ଲିଖିତ ଦଲିଲ ଦାବି କରିବାରୁ ଏହି ନିଷ୍ପତ୍ତିରେ ଦୁଇ ଦିନ ବିଳମ୍ବ ହୋଇଥିବା ୱାଙ୍ଗ୍‌ଚୁକ ପ୍ରକାଶ କରିଛନ୍ତି।

 

Dharitri – Odisha’s No.1 Odia Daily

 

Share