ଦିଗପହଣ୍ଡି,୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ – ଗଜପତି ସୀମାନ୍ତ ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର ତପ୍ତପାଣିକୁ ମଙ୍ଗଳବାର ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।ରାଷ୍ଟ୍ରପତିଙ୍କ ଗ୍ରସ୍ତକୁ ଦୃଷ୍ଟିରେ ରଖି ତପ୍ତପାଣିର ସମଗ୍ର ଅଞ୍ଚଳରେ ସୋମବାର ଠାରୁ ପୋଲିସ ଛାଉଣୀ ହୋଇଯାଇଛି। ବ୍ରହ୍ମପୁର ଠାରୁ ତପ୍ତପାଣି ରାସ୍ତାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।ସୋମବାର ଅପରାହ୍ନରେ ଏନେଇ ବରିଷ୍ଠ ପୋଲିସ ଅଧିକାରୀ ବୃନ୍ଦଙ୍କ ସହ ଗଞ୍ଜାମ ଜିଲାପାଳ ଭି. କୀର୍ତ୍ତି ଭାସନ ତପ୍ତପାଣିରେ ପହଞ୍ଚି କାର୍ଯ୍ୟସୂଚୀ ଅନୁସାରେ ସମସ୍ତ ପ୍ରସ୍ତୁତି ତଦାରଖ କରିଥିଲେ। ପରେ ପୋଲିସ ପକ୍ଷରୁ ମକଡ୍ରିଲ କରାଯାଇଥିଲା । ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ରାଷ୍ଟ୍ରପତି ସଡ଼କ ପଥରେ ଆସିବାକୁ ଥିବା ବେଳେ ଯେଭଳି କୌଣସି ପ୍ରକାର ଅଘଟଣ ନହୁଏ ସେଥିପ୍ରତି ସମସ୍ତେ ସଜାଗ ରହିବା ପାଇଁ ଗଞ୍ଜାମ ଜିଲାପାଳ ନିୟୋଜିତ ସମସ୍ତ ପ୍ରଶାସନିକ ଅଧିକାରୀ ଓ ସୁରକ୍ଷାବଳ ବରିଷ୍ଠ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରାଷ୍ଟ୍ରପତି ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଟି. ଗୋବିନ୍ଦପୁର ପଞ୍ଚାୟତ ଉଷ୍ମ ପସ୍ରବଣ ତପ୍ତପାଣିସ୍ଥିତ ରାଜ୍ୟ ପର୍ଯ୍ୟଟନ ବିଭାଗର ବଙ୍ଗଳାରେ ଗରମ ପାଣିରେ ସ୍ନାନ କରିବା ପରେ ମା ’ କନ୍ଧୁଣି ଦେବୀଙ୍କୁ ଦର୍ଶନ କରି ପୂଜର୍ଚ୍ଚନା କରିବେ। ଏଥି ନିମନ୍ତେ ଦେବୀଙ୍କ ପୀଠକୁ ସାଜସଜ୍ଜା କରାଯାଇଛି। ଜନଜାତି ବହୁଳ ଟି.ଗୋବିନ୍ଦପୁର ଅଞ୍ଚଳ ବାସୀଙ୍କ ପକ୍ଷରୁ ଜନଜାତି ମହିଳା ଓ ପୁରୁଷ ନୃତ୍ୟାଙ୍ଗନା ମାନେ ପାରମ୍ପରିକ ନୃତ୍ୟ କରି ,ତାଳ ,ମୃଦଙ୍ଗ , ଘଣ୍ଟ ସହ ବାଦ୍ୟ ବାଜଣା କରି ରାଷ୍ଟ୍ରପତିଙ୍କୁ ସ୍ବାଗତ କରିବା ସହ ମନ୍ଦିର ପୀଠକୁ ପାଛୋଟି ନେବା କାର୍ଯ୍ୟକ୍ରମ ରହିଛି। ମନ୍ଦିର ଚାରିପଟେ ବ୍ୟାରିକେଟ୍ କରାଯିବା ସହ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ରାଷ୍ଟ୍ରପତିଙ୍କ ସହ ରାଜ୍ୟପାଳ ହରିବାବୁ କମ୍ଭବପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ରେଳ ମନ୍ତ୍ରୀ ଅଶିନୀ ବୈଷ୍ଣବ ଆସୁଥିବା ବେଳେ ସମସ୍ତଙ୍କ ସୁରକ୍ଷା ପାଇଁ ସ୍ବତନ୍ତ୍ର ପୋଲିସ ଫୋର୍ସ ନିୟୋଜିତ କରାଯିବ। ଗଞ୍ଜାମ ଜିଲାପାଳଙ୍କ ସମେତ ଦକ୍ଷିଣାଞ୍ଚଳ ଆଇଜି ନୀତି ଶେଖର, ବ୍ରହ୍ମପୁର ଏସପି ଡା. ଶ୍ରବଣା ବିବେକ ଏମ, ଗଞ୍ଜାମ ଛତ୍ରପୁର ଏସପି ହରିଶ ବିଶି,ବ୍ରହ୍ମପୁର ଉପଜିଲାପାଳ ଅବିନାଶ କୁମାର, ଅତିରିକ୍ତ ଜିଲାପାଳ ସଚ୍ଚିଦାନନ୍ଦ ନାୟକ, ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀ ସମୀର କୁମାର ଜେନା,ସାନଖେମୁଣ୍ଡି ବ୍ଲକ ବିଡିଓ ଜିତେନ୍ଦ୍ର କୁମାର ମିଶ୍ର, ତହସିଲଦାର ରାମଚନ୍ଦ୍ର ପଟ୍ଟନାୟକ, ଗଞ୍ଜାମ ଜିଲା ଅଧିନ ବିଭିନ୍ନ ତହସିଲ କାର୍ଯ୍ୟାଳୟର ତହସିଲଦାର,ବିଡିଓ,ଏବଂ ଥାନା ଅଧିକାରୀ ବୃନ୍ଦ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମକୁ ସୂଚାରୁରୁପେ ସମ୍ପାଦନ କରିବା ପାଇଁ ଆକ୍ସନ ପ୍ଲାନ ଅନୁସାରେ ମନିଟରିଂ କରାଯିବା ନିମନ୍ତେ ବିସ୍ତୃତ ବ୍ଲୁ – ପ୍ରିଣ୍ଟ ପ୍ରସ୍ତୁତ ହୋଇସାରିଛି। ବିଭିନ୍ନ ଜାଗାରେ ଏ.ଆଇ କ୍ୟାମେରା ଓ ସିସିଟିଭି ଖଞ୍ଜାଯାଇଛି।