Categories: ଜାତୀୟ

ମାତୃଭାଷାରେ ଶିକ୍ଷା ଉପରେ ରାଷ୍ଟ୍ରପତିଙ୍କ ଗୁରୁତ୍ୱ

ନୂଆଦିଲ୍ଲୀ,୬ା୯:ବିଦ୍ୟାଳୟ ଶିକ୍ଷାକ୍ଷେତ୍ରକୁ ଉଲ୍ଲେଖନୀୟ ଅବଦାନ ପାଇଁ ଦେଶର ୪୭ ଜଣ ଶିକ୍ଷକଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଗୁରୁଦିବସ ଅବସରରେ ଜାତୀୟ ପୁରସ୍କାରରେ ସମ୍ମାନିତ କରିଛନ୍ତି। ପୁରସ୍କୃତ ଶିକ୍ଷକଙ୍କ ମଧ୍ୟରେ ଓଡ଼ିଶାର ଈଶ୍ୱର ଚନ୍ଦ୍ର ନାୟକ ଅଛନ୍ତି। ପୁରୀ ଜିଲା ନିମାପଡ଼ା ବ୍ଲକ ଗଡ଼ପଦନପୁର ପଞ୍ଚାୟତ ଅନ୍ତର୍ଗତ ବାଙ୍ଗୁରୁଷପାଟଣା ଗ୍ରାମରେ ଶିକ୍ଷକ ନାୟକଙ୍କ ଜନ୍ମ। ସମ୍ପ୍ରତି ସେ ନିମାପଡ଼ା ବ୍ଲକ ଶଗଡ଼ା ପଞ୍ଚାୟତ ଅଧୀନ କାନପୁର ବିଦ୍ୟାଳୟରେ ଶିକ୍ଷକତା କରୁଛନ୍ତି। ୨୦୧୭ରେ ସେ ରାଜ୍ୟ ଶିକ୍ଷକ ସମ୍ମାନ ପାଇଥିଲେ। ସେ ବହୁ ପୁସ୍ତକ ରଚନା କରିଥିବାବେଳେ ଅନେକ ପୁରସ୍କାର ଲାଭ କରିଛନ୍ତି। ତାଙ୍କ ରଚିତ ‘ଅଳିଆରୁ ଅ ଆ’ ପୁସ୍ତକ ପୁରସ୍କୃତ ଓ ପ୍ରଶଂସିତ ହୋଇଥିଲା। ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ନାୟକଙ୍କୁ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ସମେତ ବହୁ ଶିକ୍ଷାବିତ୍‌ ଅଭିନନ୍ଦନ ଜଣାଇଛନ୍ତି।
ପୁରସ୍କାର ପ୍ରଦାନ ଅବସରରେ ରାଷ୍ଟ୍ରପତି ବିଜ୍ଞାନ, ସାହିତ୍ୟ ଓ ସାମାଜିକ ବିଜ୍ଞାନରେ ମେଧା ବିକାଶ ଉପରେ ଗୁରୁତ୍ୱ ଦେଇଛନ୍ତି। ମାତୃଭାଷାରେ ଶିକ୍ଷାଦାନ ଦ୍ୱାରା ଏହା ଅଧିକ ପ୍ରଭାବୀ ହୋଇପାରିବ ବୋଲି ରାଷ୍ଟ୍ରପତି କହିଛନ୍ତି। ସେଥିପାଇଁ ଜାତୀୟ ଶିକ୍ଷାନୀତି ୨୦୨୦ରେ ସ୍କୁଲ୍‌ ଶିକ୍ଷା ଏବଂ ଉଚ୍ଚଶିକ୍ଷାରେ ଭାରତୀୟ ଭାଷାର ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଇଛି। ପିଲାମାନଙ୍କଠାରେ ପ୍ରଶ୍ନ ପଚାରିବାର ଅଭ୍ୟାସ ବଢ଼ାଇବାକୁ ରାଷ୍ଟ୍ରପତି ଶିକ୍ଷକମାନଙ୍କୁ ଅନୁରୋଧ କରିଥିଲେ। ଅଧିକ ପ୍ରଶ୍ନ ପଚାରିବା ଓ ଉତ୍ତର ଦେବା ଦ୍ୱାରା ସେମାନଙ୍କ ସମସ୍ୟା ସମାଧାନ ହେବା ସହ ଜ୍ଞାନ ବୃଦ୍ଧି ହୋଇପାରିବ। ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ବିଜ୍ଞାନ ଭବନରେ ଆୟୋଜିତ ଏହି ଉତ୍ସବରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇଥିଲେ।
ଜାତୀୟ ଶିକ୍ଷକ ପୁରସ୍କାର ଉତ୍ସବରେ ଉଦ୍‌ବୋଧନ ଦେବା ଅବସରରେ ରାଷ୍ଟ୍ରପତି ତାଙ୍କ ସ୍କୁଲ୍‌ ଶିକ୍ଷକମାନଙ୍କ ଅବଦାନକୁ ମନେପକାଇଥିଲେ। ସେହି ଶିକ୍ଷକମାନଙ୍କ ପାଇଁ ସେ ତାଙ୍କ ଗ୍ରାମର ପ୍ରଥମ ଝିଅ ଭାବରେ କଲେଜ ଯାଇପାରିଥିଲେ। ଭାରତର ବିଦ୍ୟାଳୟ ଶିକ୍ଷା ବିଶ୍ୱର ସର୍ବବୃହତ ଶିକ୍ଷା ବ୍ୟବସ୍ଥା ମଧ୍ୟରେ ଗଣାଯାଉଥିବା ରାଷ୍ଟ୍ରପତି କହିଛନ୍ତି।

Share