Categories: ଜାତୀୟ

ରାଷ୍ଟ୍ରପତି ନିର୍ବାଚନ ପାଇଁ ସୋନିଆ-ଶରଦ-ମମତାଙ୍କ ସମର୍ଥନ ଲୋଡିଲେ ଦ୍ରୌପଦୀ

ନୂଆଦିଲ୍ଲୀ,୨୪।୬: ଏନ୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଶୁକ୍ରବାର ରାଷ୍ଟ୍ରପତି ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହାପରେ ସେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ଏନ୍‌ସିପି ମୁଖ୍ୟ ଶରଦ ପାୱାରଙ୍କ ସହ କଥା ହୋଇ ରାଷ୍ଟ୍ରପତି ନିର୍ବାଚନରେ ସେମାନଙ୍କ ସମର୍ଥନ ପାଇଁ ନିବେଦନ କରିଛନ୍ତି। କୁହାଯାଉଛି, ମମତା ବାନାର୍ଜୀ ରାଷ୍ଟ୍ରପତି ନିର୍ବାଚନ ପାଇଁ ଦ୍ରୌପଦୀ ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ତାଙ୍କୁ ସମର୍ଥନ କରିବା ପାଇଁ ମମତା ତାଙ୍କ ଦଳରେ ଆଲୋଚନା କରିବେ ବୋଲି କହିଛନ୍ତି। ଏହାପୂର୍ବରୁ ଦ୍ରୌପଦୀ ମୁର୍ମୁ ଶୁକ୍ରବାର ସଂସଦ ଗୃହରେ ପହଞ୍ଚିଥିଲେ। ସେଠାରେ ସେ ରାଷ୍ଟ୍ରପତି ପଦ ପାଇଁ ନାମାଙ୍କନପତ୍ର ଦାଖଲ କରିଥିଲେ। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି ପ୍ରସ୍ତାବକ ହୋଇଥିବା ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଅନୁମୋଦକ ହୋଇଥିଲେ। ସେ ୪ଟି ସେଟରେ ନାମାଙ୍କନପତ୍ର ଦାଖଲ କରିଥିଲେ। ଏହି ଅବସରରେ ସଂସଦରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବ୍ୟତୀତ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, କେନ୍ଦ୍ର ମନ୍ତ୍ରୀ ଏବଂ ଭାଜପା ଏମ୍‌ପିମାନେ ଉପସ୍ଥିତ ଥିଲେ।

Share