Categories: ଜାତୀୟ

ରାଷ୍ଟ୍ରପତି ପ୍ରାର୍ଥୀ ହେବାକୁ ମନା କଲେ ଶରଦ ପାଓ୍ବାର

ନୂଆଦିଲ୍ଲୀ,୧୫।୬: ଏନ୍‌ସିପି ନେତା ଶରଦ ପାୱାର ରାଷ୍ଟ୍ରପତି ପ୍ରାର୍ଥୀ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ରାଷ୍ଟ୍ରପତି ପଦ ପାଇଁ ଟିଏମସି ମୁଖ୍ୟ ତଥା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶରଦ ପାୱାରଙ୍କ ନାମ ପ୍ରସ୍ତାବ ଦେଇଥିଲେ। କିନ୍ତୁ ସେ ରାଜନୀତିରେ ସକ୍ରିୟ ରହିବାକୁ ଯାଉଛନ୍ତି ବୋଲି କହି ଏହି ପ୍ରସ୍ତାବକୁ ପ୍ରତ୍ୟାଖାନ କରି ଦେଇଛନ୍ତି।
ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ବିରୋଧୀଙ୍କୁ ଏକଜୁଟ କରିବାକୁ ଚେଷ୍ଟା କରୁଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୁଧବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛନ୍ତି। ଆସନ୍ତା ରାଷ୍ଟ୍ରପତି ନିର୍ବାଚନରେ ଜଣେ ସାଧାରଣ ପ୍ରାର୍ଥୀ ଦେବାକୁ ବିରୋଧୀ ଦଳର ନେତାମାନେ ନିଷ୍ପତ୍ତି ନେଇଛନ୍ତି।
ମିଳିତ ବୈଠକ ନେତୃତ୍ୱ ନେଇଥିବା ମମତା ବାନାର୍ଜୀ କହିଛନ୍ତି, ଆଜି ଆମେ ପୁଣି ଥରେ ଶରଦ ପାୱାରଙ୍କୁ ପ୍ରାର୍ଥୀ ହେବାକୁ ଅନୁରୋଧ କରିଛୁ। କିନ୍ତୁ ସେ ମନା କରିଦେଲେ। ଆମେ ତାଙ୍କୁ ପୁନର୍ବାର ମନାଇବା ପାଇଁ ଚେଷ୍ଟା କରିବୁ, ଯଦି ସେ ରାଜି ନ ହୁଅନ୍ତି ତେବେ ଆମେ ଅନ୍ୟ ପ୍ରାର୍ଥୀ ବିଷୟରେ ଚିନ୍ତା କରିବୁ।
ଭାରତର ସମ୍ବିଧାନ କ୍ଲବରେ ହୋଇଥିବା ଏହି ବୈଠକରେ ୧୭ଟି ରାଜନୈତିକ ଦଳ ଅଂଶଗ୍ରହଣ କରିଥିଲେ। ଏଥିରେ କଂଗ୍ରେସ, ସିପିଆଇ, ସିପିଆଇ (ଏମ), ସିପିଏମଏଲ, ଆରଏସପି, ଶିବସେନା, ଏନସିପି, ଆରଜେଡି, ଏସପି, ନ୍ୟାସନାଲ କନଫରେନ୍ସ, ପିଡିପି, ଜେଡି (ଏସ), ଡିଏମକେ, ଆରଏଲଡି, ଆଇୟୁଏମଏଲ ଏବଂ ଜେଏମଏମ ସାମିଲ ଅଛି।

Share