Categories: ଜାତୀୟ

ଦ୍ରୌପଦୀ ମୁର୍ମୁଙ୍କୁ କଟାକ୍ଷ କଲେ ତେଜସ୍ବୀ

ପାଟନା,୧୭।୭: ରାଷ୍ଟ୍ରପତି ନିର୍ବାଚନର ଗୋଟିଏ ଦିନ ପୂର୍ବରୁ ବିହାର ବିଧାନସଭାର ବିରୋଧୀ ଦଳର ନେତା ତେଜସ୍ବୀ ଯାଦବ ଏନ୍‌ଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଟାର୍ଗେଟ କରିଛନ୍ତି। ରାଷ୍ଟ୍ରପତି ଭବନ ପାଇଁ ମୂର୍ତ୍ତି ସ୍ଥାପନା ନୁହେଁ, ରାଷ୍ଟ୍ରପତିଙ୍କୁ ନିର୍ବାଚିତ କରିବାକୁ ଚାହୁଁ ବୋଲି ସେ କହିଛନ୍ତି।
ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ତେଜସ୍ବୀ ଯାଦବ ଶୋହରରେ ପହଞ୍ଚିଥିଲେ। ଏହି ଅବସରରେ ସେ କହିଛନ୍ତି, ଦେଶକୁ ଜଣେ ବିଜ୍ଞ ରାଷ୍ଟ୍ରପତିଙ୍କର ଆବଶ୍ୟକତା ରହିଛି। ରାଷ୍ଟ୍ରପତି ଭବନରେ ମୂର୍ତ୍ତିର ଆବଶ୍ୟକତା ଥିବା ଭଳି ଏନଡିଏ ଜଣଙ୍କୁ ପ୍ରାର୍ଥୀ କରିଛି। ଆମେ କିନ୍ତୁ ତାହା ଚାହୁଁନୁ। ଏନଡିଏ ତରଫରୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଚୟନ ହେବା ପରେ ଗୋଟିଏ ବି ଖବରଦାତା ସମ୍ମିଳନୀ ନ କରିବା ଦ୍ରୌପଦୀଙ୍କ କାର୍ଯ୍ୟଦକ୍ଷତାର ପ୍ରମାଣ ଦେଉଛି। ଏହାସହ ସେ ଦେଶର ସ୍ବାର୍ଥ ପାଇଁ ହେଉ କି ଆଦିବାସୀଙ୍କ ସ୍ବାର୍ଥ ପାଇଁ ହେଉ କେବେ କିଛି କହିଥିବାର ମୁଁ କେବେ ଶୁଣିନାହିଁ।
ସୂଚନାଯୋଗ୍ୟ, ଦେଶର ପରବର୍ତ୍ତୀ ରାଷ୍ଟ୍ରପତିଙ୍କ ପାଇଁ ଭୋଟଗ୍ରହଣ ଜୁଲାଇ ୧୮ରେ ହେବ। ଜୁଲାଇ ୨୧ରେ ଭୋଟ ଗଣନା ଘୋଷଣା କରାଯିବ। ଏହି ଦିନ ହିଁ ଦେଶର ନୂତନ ରାଷ୍ଟ୍ରପତିଙ୍କ ନାମ ଘୋଷଣା କରାଯିବ। ଏନ୍‌ଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଏକ ପ୍ରକାର ଜିତିବା ସୁନିଶ୍ଚିତ। କାରଣ ଏନଡିଏ ମେଣ୍ଟ ବାହାରେ ବି ଅନ୍ୟ କିଛି ରାଜନୈତିକ ଦଳମାନେ ଦ୍ରୌପଦୀଙ୍କୁ ସମର୍ଥନ ଦେବା ନେଇ ଘୋଷଣା କରିଛନ୍ତି।

Share