ବାରିପଦା, ୧୯ା୬(ନୀଳାଦ୍ରି ବିହାରୀ ଦଣ୍ଡପାଟ): ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁକ୍ରବାର ରାଇରଙ୍ଗପୁର ଗସ୍ତରେ ଆସୁଛନ୍ତି। ୨୦ତାରିଖ ଶନିବାର ଜନ୍ମମାଟିରେ ସେ ତାଙ୍କ ଜନ୍ମଦିନ ପାଳନ କରିବେ। ଏହିଦିନ ରାଜ୍ୟ ସରକାରଙ୍କ ୨ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୟୂରଭଞ୍ଜ ଜିଲା ଗସ୍ତରେ ଆସୁଛନ୍ତି। ଏଥିଲାଗି ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ରାଷ୍ଟ୍ରପତି ଶୁକ୍ରବାର ଅପରାହ୍ନ ୩ଟା ୧୫ରେ ଦାଣ୍ଡବୋଷ ଏୟାରଷ୍ଟ୍ରିପରେ ଓହ୍ଳାଇ ୩ଟା ୩୦ରେ ରାଇରଙ୍ଗପୁରସ୍ଥିତ ବାସଭବନକୁ ଯାଇ ବିଶ୍ରାମ ନେବେ। ପରେ ୬ଟାରେ ରାଇରଙ୍ଗପୁରସ୍ଥିତ ଡାକ୍ତରଖାନାରେ ଏମ୍ସ ପକ୍ଷରୁ ଆୟୋଜିତ ସ୍ବାସ୍ଥ୍ୟ କ୍ୟାମ୍ପକୁ ଯାଇ ଲୋକଙ୍କ ସହ ଭାବବିନିମୟ କରିବେ। ୨୦ତାରିଖରେ ରାଷ୍ଟ୍ରପତିଙ୍କ ଜନ୍ମଦିନରେ ସେ ଶାଶୁଘର ପାହାଡପୁର ଯିବାର କାର୍ଯ୍ୟକ୍ରମ ରହିଛି। ୧୦ଟା ୩୦ରେ ରାଷ୍ଟ୍ରପତି ଓ ୧୧ଟା ୦୫ରେ ପ୍ରଧାନମନ୍ତ୍ରୀ ମୋଦି ପାହାଡପୁରରେ ପହଞ୍ଚିବେ। ସେଠାରୁ ବିଭିନ୍ନ କାର୍ଯକ୍ରମ ସାରି ୧୨ଟା ୩୦ରେ ହେଲିକପ୍ଟର ଯୋଗେ ବାହାରି ଦାଣ୍ଡବୋଷଠାରେ ଆୟୋଜିତ ଏକ ବିଶାଳ ଜନସାଧାରଣ ସଭାରେ ଉଦ୍ବୋଧନ ଦେବେ। ଏଥିସହ ରାଜ୍ୟର ବିକାଶ ପାଇଁ ୬୦ହଜାର କୋଟି ଟଙ୍କାରୁ ଉର୍ଦ୍ଧ୍ୱ ୪୦ଟି ପ୍ରକଳ୍ପ ଉଦ୍ଘାଟନ ଓ ଶିଳାନ୍ୟାସ କରିବେ।