Categories: ଜାତୀୟ

୪ଦିନିଆ ଚେନ୍ନାଇ ଗସ୍ତରେ ରାଷ୍ଟ୍ରପତି

ଚେନ୍ନାଇ,୨।୮: ସୋମବାର ଚେନ୍ନାଇରେ ପହଞ୍ଚିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ୪ଦିନିଆ ତାମିଲନାଡୁରେ ଗସ୍ତରେ ଅଛନ୍ତି ରାଷ୍ଟ୍ରପତି କୋବିନ୍ଦ। ସୋମବାର ସେ ତାମିଲନାଡୁ ବିଧାନସଭାର ଶତବାର୍ଷିକୀ ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। କାର୍ଯ୍ୟସୂଚୀ ଅନୁଯାୟୀ ରାମନାଥ କୋବିନ୍ଦ ଦ୍ୱିପ୍ରହର ୧୨.୪୫ରେ ଚେନ୍ନାଇରେ ପହଞ୍ଚି ସିଧାସଳଖ ରାଜଭବନକୁ ଯିବେ। ଏହାପରେ ସନ୍ଧ୍ୟା ୫ଟାରେ ତାମିଲନାଡୁ ବିଧାନସଭାର ଶତବାର୍ଷିକୀ ଉତ୍ସବରେ ସେ ଯୋଗଦେବେ। ଯାହାକୁ ପୂର୍ବରୁ ମାଡ୍ରାସ ବିଧାନ ପରିଷଦ ବୋଲି କୁଯାହାଉଥିଲା। ଏହି ଅବସରରେ ରାମନାଥ କୋବିନ୍ଦ ଚେନ୍ନାଇର ଫୋର୍ଟ ସେଣ୍ଟ ଜର୍ଜ ସ୍ଥିତ ବିଧାନସଭା ପରିସରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଏମ କରୁଣାନିଧିଙ୍କ ଫଟୋକୁ ଉନ୍ମୋଚନ କରିବେ। ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତି କୋବିନ୍ଦଙ୍କ ସମେତ ରାଜ୍ୟପାଳ ବନୱାରିଲାଲ ପୁରୋହିତ, ଅଧ୍ୟକ୍ଷ ଏମ୍‌.ଆପାବୁ ଏବଂ ମୁଖ୍ୟମନ୍ତ୍ରୀ ଏମ୍‌.କେ ଷ୍ଟାଲିନ ମଧ୍ୟ ସାମିଲ ହେବେ। ସୂଚନାଯୋଗ୍ୟ, ଅଗଷ୍ଟ୬ ପର୍ଯ୍ୟନ୍ତ ତାମିଲନାଡୁରେ ରହିବେ ରାଷ୍ଟ୍ରପତି। ଅଗଷ୍ଟ ୪ରେ ରାଷ୍ଟ୍ରପତି ୱେଲିଂଟନ୍‌ରେ ଥିବା ଡିଫେନ୍ସ ସର୍ଭିସେସ୍‌ ଷ୍ଟାଫ୍‌ କଲେଜକୁ ପରିଦର୍ଶନ କରିବା ସହ ୭୭ତମ ଷ୍ଟାଫ୍‌ ପାଠ୍ୟକ୍ରମର ଛାତ୍ର ଅଧିକାରୀମାନଙ୍କୁ ସମ୍ବୋଧିତ କରିବେ। ତେବେ ଏହି ଗସ୍ତ ସମୟରେ ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ କମାଣ୍ଡୋ ସୁରକ୍ଷା ସମେତ ୫ହଜାର ପୋଲିସ ମୁତୟନ କରାଯାଇଛି। ଏଥିସହ ରାଷ୍ଟ୍ରପତିଙ୍କ ପାଇଁ ପାଞ୍ଚସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି ବୋଲି ପୋଲିସ ସୂଚନା ଦିଆଯାଇଛି।

Share