Categories: ଜାତୀୟ

ଶହୀଦ୍‌ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୧୩।୧୨: ପାର୍ଲାମେଣ୍ଟ ଉପରେ ହୋଇଥିବା ଆକ୍ରମଣକୁ ୨୦ ବର୍ଷ ପୂରଣ ହୋଇଛି। ୨୦ ବର୍ଷ ତଳେ ୨୦୦୧ ଡିସେମ୍ବର ୧୩ରେ ଆତଙ୍କବାଦୀଙ୍କ ଦ୍ୱାରା ପାର୍ଲାମେଣ୍ଟ ଉପରେ ଆକ୍ରମଣ ହୋଇଥିଲା। ଜୈଶ୍‌-ଇ-ମହମ୍ମଦ ଏବଂ ଲଶ୍କର-ଇ-ତୋଏବା ଆତଙ୍କବାଦୀଙ୍କ ଦ୍ୱାରା ହୋଇଥିବା ଏହି ଆକ୍ରମଣ ରେ ୯ ଜଣ ସୁରକ୍ଷାକର୍ମୀ ଶହୀଦ୍‌ ହୋଇଥିଲେ। ଶହୀଦ୍‌ଙ୍କୁ ସ୍ମରଣ କରି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅନ୍ୟ ବରିଷ୍ଠ ନେତାମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଟୁଇଟ କରି କହିଛନ୍ତି ଯେ ୨୦୦୧ ରେ ଏକ ଭୟଙ୍କର ଆତଙ୍କବାଦୀ ଆକ୍ରମଣ ବିରୋଧରେ ବିଶ୍ୱର ସର୍ବବୃହତ ଗଣତନ୍ତ୍ରର ସଂସଦକୁ ସୁରକ୍ଷା ଦେବାକୁ ଯାଇ ନିଜ ଜୀବନକୁ ଉତ୍ସର୍ଗ କରିଥିବା ସାହସୀ ସୁରକ୍ଷାକର୍ମୀଙ୍କୁ ମୁଁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ୍‌ କରି କହିଛନ୍ତି ଯେ ପାର୍ଲାମେଣ୍ଟ ଉପରେ ହୋଇଥିବା ଆକ୍ରମଣ ସମୟରେ ଡ୍ୟୁଟି ଲାଇନରେ ସହିଦ ହୋଇଥିବା ସମସ୍ତ ସୁରକ୍ଷାକର୍ମୀଙ୍କୁ ମୁଁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ଦେଶ ପାଇଁ ସେମାନଙ୍କର ସେବା ତଥା ସର୍ବୋଚ୍ଚ ବଳିଦାନ ପ୍ରତ୍ୟେକ ନାଗରିକଙ୍କୁ ପ୍ରେରଣା ଯୋଗାଇବ।

ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଟୁଇଟ କରି କହିଛନ୍ତି ଯେ ଭାରତୀୟ ଗଣତନ୍ତ୍ରର ମନ୍ଦିର ସଂସଦ ଭବନ ଉପରେ ଆତଙ୍କବାଦୀ ଆକ୍ରମଣରେ ଦେଶର ଗର୍ବ ରକ୍ଷା କରିବା ପାଇଁ ସର୍ବୋଚ୍ଚ ବଳିଦାନ ଦେଇଥିବା ସୁରକ୍ଷା ବାହିନୀର ସମସ୍ତ ସାହସୀକର୍ମୀଙ୍କ ସାହସ ଏବଂ ବୀରତ୍ୱକୁ ମୁଁ ପ୍ରଣାମ କରୁଛି।

ଶହୀଦ୍‌ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି, ସଂସଦ ଭବନ ଉପରେ ଆକ୍ରମଣ ସମୟରେ ପ୍ରାଣ ହରାଇଥିବା ସାହସୀ ସୁରକ୍ଷା କର୍ମୀଙ୍କୁ ମୁଁ ଶତଶତ ପ୍ରଣାମ ଜଣାଉଛି।

ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଟୁଇଟ କରି ଶହୀଦ୍‌ମାନଙ୍କୁ ସ୍ମରଣ କରି କହିଛନ୍ତି, ଆମର ଯବାନମାନେ ଆତଙ୍କବାଦକୁ ଉପଯୁକ୍ତ ଉତ୍ତର ଦେଇଥିଲେ ଏବଂ ଦେଶର ସଂସଦ ଭବନ ଉପରେ ହେବାକୁ ଥିବା ଆକ୍ରମଣକୁ ରୋକିଥିଲେ। ସେମାନଙ୍କର ସାହସ, ବୀରତ୍ୱ ଏବଂ ଉତ୍ସର୍ଗୀକୃତ ସେବାକୁ ଦେଶ ସର୍ବଦା ମନେ ରଖିବ । ମାତୃଭୂମି ସେବାରେ ନିଜ ଜୀବନକୁ ଉତ୍ସର୍ଗ କରିଥିବା ସମସ୍ତ ଯବାନଙ୍କୁ ମୋର ଶ୍ରଦ୍ଧାଞ୍ଜଳି।

 

Share