ରାଷ୍ଟ୍ରପତି ଖୋଲିଲେ ମୁହଁ, ଯୁଦ୍ଧ ନୁହେଁ ସମାଧାନ-ପ୍ରଥମେ ଦେଶର ସୁରକ୍ଷା…

କାବୁଲ,୧୪।୮: ଆଫଗାନିସ୍ତାନରେ ତାଲିବାନର ଶକ୍ତି ବୃଦ୍ଧି ପାଉଛି। ଇତିମଧ୍ୟରେ ଅତାଙ୍କବାଦୀ ସଂଗଠନ ପକ୍ଷରୁ ଦେଶର ବହୁ ସହରକୁ ଦଖଲ କରାଯାଇଛି। ଦେଶରେ ଜାରି ରହିଥିବା ଭୟଙ୍କର ଗୃହଯୁଦ୍ଧ ମଧ୍ୟରେ ରାଷ୍ଟ୍ରପତି ଆଶରଫ ଘାନି ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି। ସେ ଗଣମାଧ୍ୟମ ପ୍ରତିନିଧିଙ୍କ ସହିତ କଥା ହୋଇଛନ୍ତି। ରାଷ୍ଟ୍ରପତି କହିଛନ୍ତି ଯେ ଦେଶର ସୁରକ୍ଷା ଏବଂ ପ୍ରତିରକ୍ଷା ବାହିନୀକୁ ସଂଗଠିତ କରିବା ହେଉଛି ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା। ଦେଶରେ ତାଲିବାନ ଉଗ୍ରବାଦୀଙ୍କ ଦ୍ୱାରା ସୃଷ୍ଟି ହେଉଥିବା ହିଂସା ଉପରେ ସରକାର ନଜର ରଖିଛନ୍ତି। ଦେଶରେ ଅସ୍ଥିରତା, ହିଂସା, ସ୍ଥାନାନ୍ତରଣକୁ ରୋକିବା ଦିଗରେ ସରକାର କାର୍ଯ୍ୟ କରୁଛନ୍ତି। ଏହି ପରିସ୍ଥିତିରେ ଯୁଦ୍ଧକୁ ଅନୁମତି ଦିଆଯାଇପାରିବ ନାହିଁ ବୋଲି ସେ କହିଛନ୍ତି। ଯୁଦ୍ଧ ସମସ୍ୟାର ସମାଧାନ ନୁହେଁ।
ଅପରପକ୍ଷରେ ତାଲିବାନ ସରକାରଙ୍କ ସହିତ ଆଲୋଚନା ପାଇଁ ୩ଟି ସର୍ତ୍ତ ରଖିଛି। ମାତ୍ର ଏସବୁ ସର୍ତ୍ତକୁ ସରକାର ଗ୍ରହଣ କରିବାକୁ ଅରାଜି ହେବେ ବୋଲି କୁହାଯାଉଛି। ପ୍ରଥମ ସର୍ତ୍ତ ହେଉଛି ଆଫଗାନିସ୍ତାନର ଜେଲରେ ଥିବା ସମସ୍ତ ତାଲିବାନ କଏଦୀଙ୍କୁ ସର୍ତ୍ତମୂଳକ ମୁକ୍ତ କରିବା। ଦ୍ୱିତୀୟ ସର୍ତ୍ତ ହେଉଛି ଆତଙ୍କବାଦୀ ଗୋଷ୍ଠୀ ଭାବେ ତାଲିବାନକୁ ମିଳିତ ଜାତିସଂଘ ତାଲିକାରୁ ହଟାଇବା ପାଇଁ ଆଫଗାନିସ୍ତାନ ସରକାର ନିଜର କାର୍ଯ୍ୟାଳୟ ମାଧ୍ୟମରେ ପଦକ୍ଷେପ ଗ୍ରହଣ କରିବେ। ସେହିପରି ତୃତୀୟ ସର୍ତ୍ତ ହେଉଛି ରାଷ୍ଟ୍ରପତି, ପ୍ରତିରକ୍ଷା ମନ୍ତ୍ରୀ, ସେନା ମୁଖ୍ୟ, ଗୁପ୍ତଚର ଏଜେନ୍ସି (ଏନ୍‌ଡିଏସ୍‌) ମୁଖ୍ୟ ଭାବେ ତାଲିବାନର ସଦସ୍ୟ କାର୍ଯ୍ୟ କରିବେ।
ଶାନ୍ତି ଚୁକ୍ତି ପାଇଁ ଘାନିଙ୍କୁ ହଟାଯିବ କି ନାହିଁ ସେ ନିଷ୍ପତ୍ତି ଆଫଗାନିସ୍ତାନ ସରକାର ଏବଂ ଆମେରିକାକୁ ଗ୍ରହଣ କରିବାକୁ ହେବ। ଏପରିସ୍ଥଳେ ରାଷ୍ଟ୍ରପତିଙ୍କୁ ହଟାଇ ଦିଆଗଲେ ସରକାରଙ୍କ ପାଇଁ ଅପମାନ ଜନକ ହେବ ବୋଲି ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା ହେଉଛି। ଦେଶର ସରକାରଙ୍କ ପାଖରେ ସୀମିତ ବିକଳ୍ପ ରହିଛି। ପ୍ରଥମ ବିକଳ୍ପ ଭାବେ ଲଢ଼େଇ କରି ତାଲିବାନକୁ ଧ୍ୱଂସ କରିବା। ସେହିପରି ଦ୍ୱିତୀୟ ବିକଳ୍ପ ହେଉଛି ଶାନ୍ତି ଚୁକ୍ତି ପାଇଁ ଆଫଗାନିସ୍ତାନ ସରକାର ପାକିସ୍ତାନ ସମର୍ଥିତ ଆତଙ୍କବାଦୀ ଗୋଷ୍ଠୀ ତାଲିବାନ ସମ୍ମୁଖରେ ପରାଜୟ ସ୍ବୀକାର କରିବା।

Share