ରାଉରକେଲା,୨୧ା୪: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଓଡ଼ିଶା ଗସ୍ତରେ ଆସିଛନ୍ତି। ରାଷ୍ଟ୍ରପତି ଝାରସୁଗୁଡ଼ା ଏୟାରପୋର୍ଟରେ ଓହ୍ଲାଇ ସ୍ୱତନ୍ତ୍ର ହେଲିକପ୍ଟରରେ ଆସି ଷ୍ଟିଲସିଟି ରାଉରକେଲାରେ ମଙ୍ଗଳବାର ପହଞ୍ଚିଛନ୍ତି। ଏଠାରେ ବିଭିନ୍ନ ପ୍ରକଳ୍ପ ଲୋକାର୍ପଣ ପରେ ଅଭିଭାଷଣ ରଖିଛନ୍ତି ମହାମହିମ। ସେ କହିଛନ୍ତି, ଓଡ଼ିଶାର ସଂସ୍କୃତି ଓ ପରମ୍ପରା ମହାନ। ସୁନ୍ଦରଗଡ଼ର କଳା ସଂସ୍କୃତି ଓଡ଼ିଶାକୁ ପରିପୂର୍ଣ୍ଣ କରିଛି। ସୁନ୍ଦରଗଡ଼ କେବଳ ସଂସ୍କୃତି ପାଇଁ ନୁହେଁ ସଂଗ୍ରାମ ପାଇଁ ବି ପରିଚିତ। ନିର୍ମଳ ମୁଣ୍ଡାଙ୍କ ସଂଗ୍ରାମ ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିବ। ପରିବେଶ ପଥକୁ ନିର୍ମଳ ମୁଣ୍ଡାଙ୍କ ନାଁରେ ନାମିତ ଖୁସି କରିଛି। ହକିରେ ସୁନ୍ଦରଗଡ଼ ସାରା ଦେଶରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି।
ସେହିପରି ଦିଲ୍ଲୀପ ତିର୍କୀ, ଲାଜରୁସ ବାର୍ଲାଙ୍କ ପରି ଖେଳାଳି ଜିଲା ତଥା ରାଜ୍ୟର ଗୌରବ ବଢ଼ାଇଛନ୍ତି। ଆଦିବାସୀଙ୍କ ବିକାଶ ପାଇଁ ସରକାର ଅନେକ ପଦକ୍ଷେପ ନେଉଛନ୍ତି। ଅଧିକରୁ ଅଧିକ ଏକଲବ୍ୟ ସ୍କୁଲମାନ ପ୍ରତିଷ୍ଠା କରାଯାଉଛି। ରାଷ୍ଟ୍ରପତି ଆଜି ଏକ ବଡ଼ କଥା କହିଛନ୍ତି। ସେ କହିଛନ୍ତି, ନିଜେ ଆଗକୁ ଯାଅ, ଅନ୍ୟମାନଙ୍କୁ ଆଗକୁ ଯିବାକୁ ଦିଅ। ପ୍ରଧାନମନ୍ତ୍ରୀ ଜନମନ ଯୋଜନା ଜନଜାତିଙ୍କ ପାଇଁ କାର୍ଯ୍ୟ କରୁଛି। ସାମଗ୍ରିକ ବିକାଶ ପାଇଁ ସମସ୍ତଙ୍କୁ ଆଗକୁ ନେବାକୁ ପଡ଼ିବ। ମୁଖ୍ୟମନ୍ତ୍ରୀ, ଆଦିବାସୀ କଲ୍ୟାଣ ମନ୍ତ୍ରୀଙ୍କ କାର୍ଯ୍ୟ ବେଶ୍ ପ୍ରଶଂସନୀୟ ବୋଲି ରାଷ୍ଟ୍ରପତି କହିଛନ୍ତି। ମହିଳାଙ୍କ ବିକାଶ ଉପରେ ଗୁରୁତ୍ୱରୋପ କରି ରାଷ୍ଟ୍ରପତି କହିଛନ୍ତି, ମହିଳାଙ୍କ ବିକାଶ ବିନା ବିକଶିତ ଭାରତ ସ୍ବପ୍ନ ପୂରଣ ହୋଇପାରିବନି। ଓଡ଼ିଶାରେ କାର୍ଯ୍ୟ କରୁଥିବା ସୁଭଦ୍ରା ଯୋଜନା ମହିଳାଙ୍କୁ ଆଗକୁ ନେବ ବୋଲି ରାଷ୍ଟ୍ରପତି ତାଙ୍କ ଅଭିଭାଷଣରେ କହିଛନ୍ତି।
ଷ୍ଟିଲ୍ସିଟିରେ ମୋଟ୍ ୧୫୮ କୋଟିର ବିଭିନ୍ନ ପ୍ରକଳ୍ପ ଲୋକାର୍ପଣ କରିବା ସହିତ ବିଜ୍ଞାନ ପାର୍କ ଓ ପ୍ଲାନେଟାରିୟମ୍ ଲୋକାର୍ପଣ କରିଛନ୍ତି ରାଷ୍ଟ୍ରପତି। ଆଦି ପରବର ମଧ୍ୟ ଉଦଘାଟନ କରିଛନ୍ତି ରାଷ୍ଟ୍ରପତି।