ମହାପ୍ରଭୁଙ୍କୁ ଦର୍ଶନ ପରେ ରାଷ୍ଟ୍ରପତିଙ୍କ ହାତଲେଖା

ପୁରୀ ଅଫିସ,୧୦।୧୧: ଓଡ଼ିଶା ଗସ୍ତରେ ଆସି ଶ୍ରୀଜିଉଙ୍କ ଦର୍ଶନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହି ଅବସରରେ ସେ ଶ୍ରୀମନ୍ଦିର ପ୍ରଶାସନ ନିକଟରେ ହାତଲେଖା ଛାଡ଼ିଛନ୍ତି। ଏହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି।

ଓଡ଼ିଆରେ ରାଷ୍ଟ୍ରପତି ଲେଖିଛନ୍ତି, ଆଜି ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂରତି ଏବଂ ପାର୍ଶ୍ୱ ଦେବଦେବୀଙ୍କୁ ଦର୍ଶନ କରି ମୁଁ ନିଜକୁ ସୌଭାଗ୍ୟବତୀ ମନେ କରୁଛି। ଓଡ଼ିଆ ଜାତିର ପରମ ଆରାଧ୍ୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ପ୍ରଣିପାତ କରି ମୁଁ ଏକ ବିରଳ ଏବଂ ଦିବ୍ୟ ଅନୁଭୂତି ଲାଭ କରିଛି। ମହାପ୍ରଭୁ ଆଦିବାସୀମାନଙ୍କର ଦାରୁଦେବତା ଏବଂ ସମଗ୍ର ବିଶ୍ୱବ୍ରହ୍ମାଣ୍ଡର ଠାକୁର। ମାନବଜାତିର କଲ୍ୟାଣ ପାଇଁ ମୁଁ ତାଙ୍କ ନିକଟରେ ବିନମ୍ର ପ୍ରାର୍ଥନା କରୁଛି। ଶ୍ରୀଜଗନ୍ନାଥଙ୍କ ଆଶିଷ ଲାଭ କରି ଆମ ଦେଶ ଅଭିବୃଦ୍ଧି ଏବଂ ବିକାଶର ଶୀର୍ଷରେ ପହଞ୍ଚୁ , ଏହା ମୋର କାମନା ବୋଲି ସେ ଲେଖିଛନ୍ତି।