ରାଉ‌ରକେଲାରେ ପ୍ରୋଟୋକଲ ଭାଙ୍ଗିଲେ ରାଷ୍ଟ୍ରପତି, ଖରାକୁ ଖାତିର ନକରି…

ରାଉରକେଲା,୨୧।୪(ସଂଗୀତା ଜେନା) ଓଡ଼ିଶା ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଝାରସୁଗୁଡ଼ା ବିମାନ ବନ୍ଦରରେ ପହଞ୍ଚିବା ପରେ ରାଉରକେଲା ଅଭିମୁଖେ ଯାତ୍ରା କରିଥିଲେ । ରାଉରକେଲା ଜନଜାତି ସଂଗ୍ରହାଳୟ ଉଦ୍‌ଘାଟନୀ କାର୍ଯ୍ୟକ୍ରମସ୍ଥଳକୁ ଯିବାବେଳେ ହନୁମାନ ବଟିକା ଛକରେ ପ୍ରୋଟୋକଲ ଭାଙ୍ଗିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

ଖରାକୁ ଖାତିର ନକରି ଜନସାଧାରଣଙ୍କ ଗହଳି ଭିତରେ କିଛି କ୍ଷଣ ବିତାଇଛନ୍ତି । ଶୀତତାପ ନିୟନ୍ତ୍ରିତ କାର୍‌ରୁ ଓହ୍ଲାଇ ଡ଼ହଡ଼ହ ଖରାରେ ଜନସାଧାରଣଙ୍କୁ ଭେଟିଛନ୍ତି । ହନୁମାନ ବଟିକା ନିକଟରେ ହଠାତ୍ କାରରୁ ଓହ୍ଲାଇ ଲୋକଙ୍କ ଅଭିବାଦନ ଗ୍ରହଣ କରିଥିଲେ । କିଛି ଛୋଟ ପିଲାଙ୍କ ସହ କଥା ହୋଇ ଚକୋଲେଟ୍ ମଧ୍ୟ ଦେଇଥିଲେ । ଏହି ସମୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଭାରତ ମାତା କି ଜୟ, ବନ୍ଦେ ମାତରମ ନାରାରେ କମ୍ପି ଉଠିଥିଲା ସ୍ଥାନୀୟ ଅଞ୍ଚଳ । ଏହାକୁ ନେଇ ରାଉରକେଲାବାସୀ ଖୁସି ପ୍ରକାଶ କରିଛନ୍ତି । ସମସ୍ତଙ୍କ ମନରେ ଗୋଟିଏ କଥା ଓଡ଼ିଆ ଝିଅଙ୍କର ଓଡ଼ିଶା ଲୋକଙ୍କ ପ୍ରତି ବିଶାଳ ହୃଦୟ ।  ପ୍ରକାଶଥାଉକି, ରାଷ୍ଟ୍ରପତିଙ୍କୁ ସ୍ବାଗତ କରିବା ପାଇଁ ରାଜ୍ୟପାଳ ଡକ୍ଟର ହରି ବାବୁ କମ୍ଭମପତି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଉପସ୍ଥିତ ରହିଥିଲେ ।

 

Dharitri – Odisha’s No.1 Odia Daily

Share