Categories: ଜାତୀୟ

ଦେଶର ୫୦ତମ ପ୍ରଧାନ ବିଚାରପତି ହେଲେ ଜଷ୍ଟିସ ଚନ୍ଦ୍ରଚୂଡ

ନୂଆଦିଲ୍ଲୀ,୧୭।୧୦: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଜଷ୍ଟିସ ଧନଞ୍ଜୟ ଯଶୱନ୍ତ ଚନ୍ଦ୍ରଚୂଡଙ୍କୁ ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି ଭାବେ ନିଯୁକ୍ତ କରିଛନ୍ତି। ନଭେମ୍ବର ୯ରେ ସେ ଶପଥ ଗ୍ରହଣ କରିବା ସହ କାର୍ଯ୍ୟଭାର ଦାୟିତ୍ୱ ଗ୍ରହଣ କରିବେ। ଏହାପରେ ଚନ୍ଦ୍ରଚୂଡ ଦେଶର ୫୦ତମ ପ୍ରଧାନ ବିଚାରପତି ଭୋବେ ବିବେଚିତ ହେବେ। ତାଙ୍କର କାର୍ଯ୍ୟକାଳ ୨୦୨୪ ନଭେମ୍ବର୧୦ ପର୍ଯ୍ୟନ୍ତ ରହିବ ବୋଲି ଜଣାପଡ଼ିଛି। ସୂଚନା ମୁତାବକ, ଅକ୍ଟୋବର ୧୧ରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଉଦୟ ଉମେଶ ଲଲିତ ତାଙ୍କ ଉତ୍ତରାଧିକାରୀ ଭାବେ କେନ୍ଦ୍ର ସରକାରଙ୍କୁ ଜଷ୍ଟିସ ଚନ୍ଦ୍ରଚୂଡଙ୍କ ନାମ ସୁପାରିଶ କରିଥିଲେ। ତେବେ ସୋମବାର କେନ୍ଦ୍ର ତାଙ୍କ ନାମକୁ ମଞ୍ଜୁରି ପ୍ରଦାନ କରିଛି। ସୂଚନାଯୋଗ୍ୟ, ୧୯୫୯ ନଭେମ୍ବର ୧୧ରେ ଜନ୍ମ ହୋଇଥିବା ଜଷ୍ଟିସ ଚନ୍ଦ୍ରଚୂଡଙ୍କ ପିତା ମଧ୍ୟ ଭାରତର ପ୍ରଧାନ ବିଚାରପତି ଭାବେ କାର୍ଯ୍ୟ ତୁଳାଇଛନ୍ତି। ତାଙ୍କ ପିତା ଯଶବନ୍ତ ବିଷ୍ଣୁ ଚନ୍ଦ୍ରଚୂଡ ଦୀର୍ଘ ସମୟ ଧରି ଏହି ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହିଥିଲେ। ୧୯୭୮ ରୁ ୧୯୮୫ ପର୍ଯ୍ୟନ୍ତ ଅଥାତ୍‌ ଦୀର୍ଘ ୭ବର୍ଷ ପାଇଁ ସେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ରହିଥିଲେ।
ଅନ୍ୟପଟେ ୨୦୧୬ରେ ଜଷ୍ଟିସ ଡିଓ୍ବାଇ ଚନ୍ଦ୍ରଚୂଡ ସୁପ୍ରିମକୋର୍ଟର ବିଚାରପତି ହୋଇଥିଲେ। ଏହାପୂର୍ବରୁ ସେ ଆହ୍ଲାବାଦ ହାଇକୋର୍ଟର ପ୍ରଧାନ ବିଚାରପତି ଥିଲେ। ବିଚାରପତି ଭାବେ ତାଙ୍କର ପ୍ରଥମ ନିଯୁକ୍ତି ୨୦୦୦ମସିହାରେ ବମ୍ବେ ହାଇକୋର୍ଟରେ ହୋଇଥିଲା। ଏହାପୂର୍ବରୁ ସେ ୧୯୯୮ ରୁ ୨୦୦୦ ପର୍ଯ୍ୟନ୍ତ ଭାରତ ସରକାରଙ୍କ ଅତିରିକ୍ତ ସଲିସିଟର ଜେନେରାଲ ଥିଲେ।

Share