ଦିଗପହଣ୍ଡି, ୧୩।୭(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ତହସିଲ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ସୋମବାର ଅପରାହ୍ନରେ ତହସିଲଦାର ସନ୍ତୋଷ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ରଥଯାତ୍ରା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଦିଗପହଣ୍ଡି ତହସିଲ ଅଧିନସ୍ଥ ବିଭିନ୍ନ ଗ୍ରାମରେ ଚାଲି ଆସୁଥିବା ଶ୍ରୀ ଜଗନ୍ନାଥଙ୍କ ପାରମ୍ପରିକ ରଥଯାତ୍ରାକୁ ସମ୍ପୂର୍ଣ୍ଣ ଶୃଙ୍ଖଳିତ ଭାବେ ପରିଚାଳନା କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ପ୍ରତିବର୍ଷ ଭଳି ଚଳିତ ବର୍ଷ ବିଭିନ୍ନ ଗ୍ରାମର ଅନୁଷ୍ଠିତ ରଥ ଯାତ୍ରା ପରିଚାଳନାରେ ଅଗ୍ନିଶମ ବିଭାଗ, ବିଦ୍ୟୁତ ବିଭାଗ, ପୋଲିସ, ସ୍ବାସ୍ଥ୍ୟ ବିଭାଗ, ଗ୍ରାମ୍ୟ ପାନୀୟ ଜଳ ଓ ପରିମଳ ବିଭାଗର ଅଧିକାରୀ ଓ କର୍ମଚାରୀ ବୃନ୍ଦ ସଜାଗ ରହି ଆବଶ୍ୟକ ସ୍ଥଳେ ତ୍ୱରିତ ସେବା ଯୋଗାଇ ଦେବାକୁ ତହସିଲଦାର ସାହୁ ଉପସ୍ଥିତ ବିଭିନ୍ନ ବିଭାଗର ଅଧିକାରୀ ବୃନ୍ଦଙ୍କୁ ପରାମର୍ଶ ଦେଇଥିଲେ। ରଥଯାତ୍ରା ପରିଚାଳନା କମିଟିର ସମସ୍ତ କର୍ମକର୍ତ୍ତା ନିର୍ମିିତ ରଥ ଗୁଡିକର ଯାଞ୍ଚ ପ୍ରମାଣପତ୍ର ରାସ୍ତା ଓ କୋଠାବାଡି ବିଭାଗୀୟ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଠାରୁ ସଂଗ୍ରହ କରିନେବାକୁ ବୈଠକରେ ସୂଚନା ଦିଆଯାଇଥିଲା।ଅନୁଷ୍ଠିତ ବୈଠକରେ ଅତିରିକ୍ତ ତହସିଲଦାର ଆଶିଷ କୁମାର ନାୟକ,ଦିଗପହଣ୍ଡି ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଅବିନାଶ ମିଶ୍ର, ପୋଲିସ , ଟିପିଏସଓଡିଏଲ ଏବଂ ଅଗ୍ନିଶମ ବିଭାଗୀୟ ଅଧିକାରୀଙ୍କ ସମେତ ବିଭିନ୍ନ ଗ୍ରାମରୁ ଆସିଥିବା ରଥଯାତ୍ରା ପରିଚାଳନା କମିଟି କର୍ମକର୍ତ୍ତା ବୃନ୍ଦ ଉପସ୍ଥିତ ରହି ବିଭିନ୍ନ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।