କୋଲକାତା,୧୯।୩: ପଶ୍ଚିମବଙ୍ଗ ରାଜନୀତିରେ ଗୁରୁବାର ଏକ ବଡ଼ ଧରଣର ହଲଚଲ ଦେଖିବାକୁ ମିଳିଛି। ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଭବାନୀପୁର ଆସନ ଏବେ ହଟ୍ସ୍ପଟ ପାଲଟିଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ଭାଜପା ପୁଣିଥରେ ଶୁଭେନ୍ଦୁ ଅଧିକାରୀଙ୍କୁ ମଇଦାନକୁ ଓହ୍ଲାଇ ଏକ ଶକ୍ତ ଚ୍ୟାଲେଞ୍ଜ ସୃଷ୍ଟି କରିଛି।
୨୦୨୧ ନିର୍ବାଚନରେ ନନ୍ଦୀଗ୍ରାମରେ ଶୁଭେନ୍ଦୁ ଅଧିକାରୀଙ୍କଠାରୁ ପରାଜିତ ହେବା ପରେ ମମତା ବାନାର୍ଜୀ ଭବାନୀପୁର ଉପ-ନିର୍ବାଚନରେ ଜିତିଥିଲେ। ଏଥର ମଧ୍ୟ ଭାଜପା ସମାନ ରଣନୀତି ଆପଣାଇଛି। ମମତାଙ୍କୁ କେବଳ ଭବାନୀପୁର ଆସନରେ ସୀମିତ ରଖିବାକୁ ଭାଜପା ଚାହୁଁଛି, ଯେପରି ସେ ସାରା ରାଜ୍ୟରେ ପ୍ରଚାର କରିବାକୁ ସମୟ ପାଇବେ ନାହିଁ। ଶୁଭେନ୍ଦୁଙ୍କୁ ଭବାନୀପୁର ଓ ନନ୍ଦୀଗ୍ରାମ ଦୁଇଟି ଯାକ ସ୍ଥାନରୁ ପ୍ରାର୍ଥୀ କରି ଭାଜପା ତୃଣମୂଳ କଂଗ୍ରେସ (TMC) ଉପରେ ଚାପ ପକାଇବାକୁ ଚେଷ୍ଟା କରୁଛି।
ଟିଏମସିରୁ ବହିଷ୍କୃତ ନେତା ହୁମାୟୁନ କବୀରଙ୍କ ନୂଆ ଦଳ ’ଆମ ଜନତା ଉନ୍ନୟନ ପାର୍ଟି’ (AJUP) ମମତାଙ୍କ ପାଇଁ ନୂଆ ଅସୁବିଧା ଛିଡ଼ା କରିଛି। ଭବାନୀପୁରରେ ମମତାଙ୍କ ବିରୋଧରେ କବୀର ପୁନମ ବେଗମଙ୍କୁ ପ୍ରାର୍ଥୀ କରିଛନ୍ତି। ଭବାନୀପୁରରେ ପ୍ରାୟ ୨୦ ପ୍ରତିଶତ ମୁସଲିମ ଭୋଟର ଅଛନ୍ତି। ଯଦି ପୁନମ ବେଗମ ଏହି ଭୋଟ କାଟିବାରେ ସଫଳ ହୁଅନ୍ତି, ତେବେ ମମତାଙ୍କ ପାଇଁ ଅଡୁଆ ବଢ଼ିପାରେ।
ଭବାନୀପୁରରେ ସ୍ପେଶାଲ ଇଣ୍ଟେନସିଭ ରିଭ୍ୟୁ (SIR) ପରେ ପ୍ରାୟ ୪୭,୦୦୦ ନାମ ଭୋଟର ତାଲିକାରୁ ହଟାଇ ଦିଆଯାଇଛି। ମମତା ଏହାକୁ ଭାଜପା ଓ ନିର୍ବାଚନ କମିଶନଙ୍କ ମିଳିତ ଷଡ଼ଯନ୍ତ୍ର ବୋଲି କହିଛନ୍ତି।
ଗୁରୁବାର ଦଳୀୟ ବୈଠକରେ ଟିଏମସି ନିଜର ଆଗାମୀ ପଦକ୍ଷେପ ସ୍ଥିର କରିଛି। ବରିଷ୍ଠ ନେତା ସୁବ୍ରତ ବକ୍ସି ଓ ଫିରହାଦ ହାକିମଙ୍କୁ ୱାର୍ଡ ଦାୟିତ୍ୱ ଦିଆଯାଇଛି। ମମତା ବାନାର୍ଜୀ ନିଜେ ଭବାନୀପୁରରେ ବଡ଼ ବଡ଼ ସଭା କରିବେ। ଏସବୁ ଭିତରେ ମମତା କହିଛନ୍ତି, “ମୁଁ କେବଳ ଭବାନୀପୁରରୁ ନୁହେଁ, ରାଜ୍ୟର ସମସ୍ତ ୨୯୪ଟି ଯାକ ଆସନରେ ମୁଁ ନିଜେ ପ୍ରାର୍ଥୀ।” ଯାହାକି ସମସ୍ତଙ୍କ ଗହଣରେ ଚର୍ଚ୍ଚାର ବିଷୟ ପାଲଟିଛି।

