ସୁବର୍ଣ୍ଣପୁରରେ ରାହଗିରି ପାଇଁ ପ୍ରସ୍ତୁତି

ସୋନପୁର,୨୮।୩(ନି.ପ୍ର.): ଅପ୍ରେଲ ୧ ତାରିଖ ଓଡିଶା ଦିବସ ଓ ୩୦ତମ ସୁବର୍ଣ୍ଣପୁର ଜିଲା ପ୍ରତିଷ୍ଠା ଦିବସ। ଏହି ଦିବସକୁ ନିଆରା ଢଙ୍ଗରେ ପାଳନ କରିବା ପାଇଁ ସୁବର୍ଣ୍ଣପୁରର ବୁଦ୍ଧିଜୀବୀ, କଳାପ୍ରେମୀ ଓ ଜିଲା ପ୍ରଶାସନ ନିଷ୍ପତ୍ତି ନେଇଛନ୍ତି। ପ୍ରତ୍ୟୁଷରେ ଡାକବାଜି ଯନ୍ତ୍ର ଦ୍ୱାରା ସହରରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ପରିବେଷଣ କରାଯିବ। ସକାଳେ ଗାନ୍ଧୀ ପଡିଆ ସ୍ଥିତ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି, ସହରରେ ଥିବା ସ୍ବଭାବ କବି ଗଙ୍ଗାଧର ମେହେର, ଉତ୍କଳମଣି ଗୋପବନ୍ଧୁ ଦାସ, କୂଳବୃଦ୍ଧ ମଧୁସୂଦନ ଦାସ, ବାବା ସାହେବ ଡ. ଆମ୍ବେଡକର, ବୀର ସୁରେନ୍ଦ୍ର ସାଏ, ମହାରାଜା ବୀରମିତ୍ର ସିଂହଦେଓ ଓ କଣ୍ଠଶିଳ୍ପୀ ଫକୀର ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ସାମୂହିକ ପୁଷ୍ପମାଲ୍ୟ ଅର୍ପଣ କରାଯିବ। ଅପରାହ୍ନ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ବ୍ଲକ ଛକରୁ ଆମ୍ବେଡକର ଛକ ପର୍ଯ୍ୟନ୍ତ ରାହଗିରି ମାଧ୍ୟମରେ ପ୍ରତିଷ୍ଠା ଦିବସକୁ ସମାରୋହରେ ପଳନ କରାଯିବ ବୋଲି ଜିଲାପାଳ ଅବୋଲି ସୁନିଲ ନରଓ୍ବଣେ ଓ ଏସ୍‌ପି ଅମରେଶ କୁମାର ପଣ୍ଡା ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ସୋମବାର ସନ୍ଧ୍ୟାରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ୩୦ତମ ଜିଲା ପ୍ରତିଷ୍ଠା ଦିବସକୁ ସ୍ମରଣୀୟ କରିବା ପାଇଁ ଶିଶୁ, ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରୀଛାତ୍ର, ସ୍ବୟଂ ସହାୟକ ଗୋଷ୍ଠିର ସଦସ୍ୟ, କଳାକାର ଓ ଜନସାଧାରଣ କାର୍ଯ୍ୟକ୍ରମରେ ସାମିଲ ହେବେ। ରାଜରାସ୍ତାରେ ନୃତ୍ୟ, ସଙ୍ଗୀତ, କୌତୁକ ପୋଷାକ, ଯୋଗାସନ, ଫଟୋ ପ୍ରଦର୍ଶନୀ, ଚିତ୍ରାଙ୍କନ, ମେହେନ୍ଦୀ, ବାନ୍ଧକଳା ପ୍ରଦର୍ଶନ, ମ୍ୟାଜିକ୍‌ ଶୋ ଓ ଟେରାକୋଟା ଆଦି ପ୍ରଦର୍ଶନ କରାଯିବ। ଶିଶୁଙ୍କ ମଧ୍ୟରେ ମିସ୍‌ ଓ ମିଷ୍ଟର ସୁବର୍ଣ୍ଣପୁର ପ୍ରତିଯୋଗିତା ହେବ। ପରେ ଏକ ସାଂସ୍କୃତିକ ସଭାରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ ବୋଲି ସୂଚନା ଦିଆଯାଇଛି। ଜିଲାର ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଏବଂ ବ୍ୟବସାୟିକ ପ୍ରତିଷ୍ଠାନକୁ ୩୧ ମାର୍ଚ୍ଚ ଓ ୧ ଅପ୍ରେଲ ରାତିରେ ରଙ୍ଗୀନ ଆଲୋକରେ ସଜ୍ଜିତ କରିବାକୁ ଅନୁରୋଧ କରାଯାଇଛି। କାର୍ଯ୍ୟକ୍ରମରେ ଜିଲାର ସମସ୍ତ ବର୍ଗର ଜନସାଧାରଣ ସାମିଲ ହେବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।