ଖରିଫଚାଷ ପୂର୍ବରୁ ସରକାରଙ୍କ ପ୍ରସ୍ତୁତି

ଭୁବନେଶ୍ୱର,୧୮।୫(ବ୍ୟୁରୋ): କୃଷି ଅର୍ଥନୀତିର ମେରୁଦଣ୍ଡ ହୋଇଥିବା ବେଳେ ଖରିଫ ଚାଷ ରାଜ୍ୟର କୃଷିକ୍ଷେତ୍ର ନିମନ୍ତେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଗତ ଖରିଫଋତୁରେ କୋଭିଡ୍‌-୧୯ର ଅସ୍ବାଭାବିକ ପରିସ୍ଥିତିକୁ ସମ୍ମୁଖୀନ ହୋଇ ମଧ୍ୟ କୃଷକଙ୍କ କଠିନ ପରିଶ୍ରମ ଏବଂ ରାଜ୍ୟ ସରକାରଙ୍କ ସମୟୋଚିତ ପଦକ୍ଷେପ ଯୋଗୁ ରେକର୍ଡ ପରିମାଣର ଉତ୍ପାଦନ ହୋଇପାରିଥିଲା। ଚଳିତ ଖରିଫଋତୁରେ କରୋନା ୨ୟ ଲହରକୁ ଉଚିତ ମୁକାବିଲା ଓ ମାର୍ଗଦର୍ଶିକା ପାଳନକରି ରାଜ୍ୟର କୃଷକମାନେ ଆଶାନୁରୂପ ଫସଲ ଉତ୍ପାଦନ କରିବେ ବୋଲି ଆଶା ରହିଛି। କୃଷକଙ୍କ ଆୟ ବହୁଗୁଣିତ କରିବା ନିମନ୍ତେ ସମନ୍ବିତ କୃଷି ଓ ଅଧିକ ଅର୍ଥକରୀ ଫସଲ ଚାଷୀ ଉପରେ ଗୁରୁତ୍ୱ ଦିଆଯାଉଛି ବୋଲି କୃଷିମନ୍ତ୍ରୀ ଅରୁଣ କୁମାର ସାହୁ କହିଛନ୍ତି।
ଭର୍ଚୁଆଲ ମାଧ୍ୟମରେ ସୋମବାର ଆୟୋଜିତ ଖରିଫ କାର୍ଯ୍ୟକ୍ରମ-୨୦୨୧ର ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ମନ୍ତ୍ରୀ ସାହୁ କହିଛନ୍ତି, ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ରାଜ୍ୟରେ ସ୍ବାଭାବିକ ବର୍ଷା ହେବ। ଖରିଫରେ ମୋଟ୍‌ ୧୧୭.୫ ଲକ୍ଷ ମେଟ୍ରିକ୍‌ ଟନ ଖାଦ୍ୟଶସ୍ୟ ଉତ୍ପାଦନ ହେବା ଆଶା ରହିଛି। ୫.୩ ଲକ୍ଷ ମେଟ୍ରିକ ଟନ୍‌ ଡାଲି ଜାତୀୟ ଫସଲ ସମେତ ୧୦୨ ଲକ୍ଷ ମେଟ୍ରିକ ଟନ୍‌ ଶସ୍ୟ, ୩.୦୧ ଲକ୍ଷ ମେଟ୍ରିକ ଟନ୍‌ ତୈଳବୀଜ, ୬.୮୨ ଲକ୍ଷ ଗାଣ୍ଠି କପା, ୧ ଲକ୍ଷ ଗାଣ୍ଠି ଝୋଟ ଓ ମେସ୍ତା, ୫.୩୯ ଲକ୍ଷ ମେଟ୍ରିକ ଟନ୍‌ ମସଲା ଏବଂ ପ୍ରାୟ ୭୨ ଲକ୍ଷ ମେଟ୍ରିକ ଟନ ପନିପରିବା ଉତ୍ପାଦନର ଲକ୍ଷ୍ୟ ରଖାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୃଷକଙ୍କ ଆୟ ଦ୍ୱିଗୁଣିତ ଓ ବହୁଗୁଣିତ କରିବା ପାଇଁ ଆହ୍ବାନ ଦେଇଥିବା ବେଳେ ଫସଲର ବିବିଧୀକରଣ ଏବଂ ସମନ୍ବିତ କୃଷି କାର୍ଯ୍ୟ ଦ୍ୱାରା ଏହି ଲକ୍ଷ୍ୟ ହାସଲ କରିହେବ ବୋଲି ସେ କହିଛନ୍ତି। ଚାଷୀମାନେ ଯେପରି ଆବଶ୍ୟକ କୃଷି ସାମଗ୍ରୀ ଓ ଉନ୍ନତ ମାନର ବିହନ ଏବଂ ସାର ଠିକ୍‌ ସମୟରେ ଓ ପର୍ଯ୍ୟାପ୍ତ ପରିମାଣରେ ପାଇପାରିବେ ସେନେଇ ଧ୍ୟାନଦେବାକୁ ମନ୍ତ୍ରୀ ସାହୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।