ଦାରିଙ୍ଗବାଡ଼ି, ୨୮।୧୧ (ଅରୁଣ ସାହୁ): କନ୍ଧମାଳ ଜିଲାର ପର୍ଯ୍ୟଟନସ୍ଥଳୀ ଦାରିଙ୍ଗବାଡ଼ିରେ ଆୟୋଜିତ ହେବ ଶୀତ ମହୋତ୍ସବ-୨୦୨୭। ଏହି ମହୋତ୍ସବକୁ ଆକର୍ଷଣୀୟ ଓ ଧୁମ୍ଧାମରେ ପାଳନ କରିବା ଲକ୍ଷ୍ୟରେ ବ୍ଲକ ସଭାଗୃହରେ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଆସନ୍ତା ଜାନୁଆରୀ ୯ରୁ ୧୧ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ଏହି ମହୋତ୍ସବ ପାଳନ କରିବାକୁ ପ୍ରାଥମିକ ନିଷ୍ପତ୍ତି ହୋଇଛି। ଆବଶ୍ୟକ ପଡ଼ିଲେ ଏହାକୁ ୪ ଦିନିଆ କରାଯାଇ ଜାନୁଆରୀ ୮ ତାରିଖରୁ ଆରମ୍ଭ କରାଯିବା ନେଇ ମଧ୍ୟ ଆଲୋଚନା ହୋଇଛି।
ଶୀତ ମହୋତ୍ସବ ପାଳନ କମିଟିର ସଭାପତି ତଥା ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଥିଲା। କମିଟିର ସମ୍ପାଦକ ତଥା ବିଡିଓ ପ୍ରୀତିରଞ୍ଜନ ରଥ ମହୋତ୍ସବ ଆୟୋଜନର ଉଦ୍ଦେଶ୍ୟ, ଆବଶ୍ୟକ ପ୍ରସ୍ତୁତି ଓ ଅନୁଦାନ ସଂଗ୍ରହ ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ମହୋତ୍ସବ ଅଞ୍ଚଳବାସୀଙ୍କର ଉତ୍ସବ ହୋଇଥିବାରୁ ଏହାକୁ ସମସ୍ତଙ୍କ ସହଯୋଗରେ ଭବ୍ୟ ଓ ଆକର୍ଷଣୀୟ ଢଙ୍ଗରେ ଆୟୋଜନ କରିବାକୁ ବୈଠକରେ ମତ ପ୍ରକାଶ ପାଇଥିଲା। ଏଥିପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ, ସ୍ବତନ୍ତ୍ର ଉନ୍ନୟନ ପରିଷଦ (କନ୍ଧମାଳ), ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ସମେତ ଓରମାସ୍ରୁ ଅନୁଦାନ ଆଣିବା ନେଇ ଆଲୋଚନା ହୋଇଥିଲା। ମହୋତ୍ସବର ସଫଳ ଆୟୋଜନ ପାଇଁ ଟ୍ରଫି, ବ୍ୟାନର, ଫ୍ଲେକ୍ସ, ମାନପତ୍ର ଓ ମଞ୍ଚ ସଜ୍ଜା ଆଦି ବିଭିନ୍ନ ବିଷୟରେ ମଧ୍ୟ ଯୋଜନା ପ୍ରସ୍ତୁତ କରାଯାଇଥିଲା। ଏହାସହ ଆୟୋଜନ କମିଟି ଅଧୀନରେ ବିଭିନ୍ନ ଉପକମିଟି ଗଠନ କରି ଅଧିକ ଲୋକଙ୍କୁ ଦାୟିତ୍ୱ ପ୍ରଦାନ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।
ବୈଠକରେ ଆଇଆଇସି ସଂଗ୍ରାମ କେଶରୀ ଜେନା, କମିଟିର ବରିଷ୍ଠ ସଦସ୍ୟ ତଥା ଜାଗୃତି ସମ୍ପାଦକ କୈଳାଶ ଚନ୍ଦ୍ର ଦଣ୍ଡପାଟ, ସାଂସଦଙ୍କ ପ୍ରତିନିଧି ବିରଞ୍ଚି ନାରାୟଣ ସାହୁ, ହରେନ ସାହୁ, ପ୍ରଭାକର ସାହୁ, ଆଇନଜୀବୀ ପ୍ରଦୀପ ସାହୁ ଓ ଦିଲୀପ ସାହୁଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହି ମହୋତ୍ସବର ସଫଳ ଆୟୋଜନ ନେଇ ମତାମତ ରଖିଥିଲେ।