ମହାପ୍ରଭୁଙ୍କ ନିମନ୍ତେ ଘୋଡ଼ ବସ୍ତ୍ର ପ୍ରସ୍ତୁତି

ପୁରୀ ଅଫିସ,୨୭।୧୧: ମାର୍ଗଶୀର ମାସ ଶୁକ୍ଳପକ୍ଷ ଷଷ୍ଠୀ ଓଢ଼ଣ ଷଷ୍ଠୀ ତଥା ପ୍ରାବରଣ ଷଷ୍ଠୀଠାରୁ ମହାପ୍ରଭୁ ଶୀତ ଦାଉରୁ ନିଜକୁ ରକ୍ଷା କରିବା ପାଇଁ ଘୋଡ଼ ଲାଗି ହେବେ। ମହାପ୍ରଭୁ ଶୀତ ନିକଟରୁ ହାରି ଓଢ଼ଣ ଷଷ୍ଠୀଠାରୁ ଶୀତବସ୍ତ୍ର ପରିଧାନ କରିବେ। ଏଥିପାଇଁ ଶ୍ରୀମନ୍ଦିର ଦରଜୀ ସେବକ ମହାପ୍ରଭୁଙ୍କ ନିମନ୍ତେ ଶୀତବସ୍ତ୍ର ବା ଘୋଡ଼ ପ୍ରସ୍ତୁତ କରିଥାନ୍ତି। ମହାପ୍ରଭୁଙ୍କ ଘୋଡ଼ ଲାଗି ନିମନ୍ତେ ମନ୍ଦିର ପ୍ରଶାସନ ପକ୍ଷରୁ ଗୀତଗୋବିନ୍ଦ ପାଟ, ପତନୀ ଓ ସୂତାପଟ ଯୋଗାଇ ଦିଆଯାଇଥାଏ। ଦେଉଳ କରଣଙ୍କ ନିର୍ଦ୍ଦେଶକ୍ରମେ ଦରଜି ସର୍ଦ୍ଦାର ପ୍ରକାଶ ମହାପାତ୍ର ଏହି ଘୋଡ଼ (ଶୀତବସ୍ତ୍ର) ତିଆରି କରୁଛନ୍ତି। ଆସନ୍ତା ୨୯ ତାରିଖରେ ଶ୍ରୀମନ୍ଦିରରେ ଓଢ଼ଣ ଷଷ୍ଠୀ ନୀତି ସମ୍ପନ୍ନ ହେବ। ପ୍ରସ୍ତୁତ କରାଯାଇଥିବା ଏହି ନୂତନ ଘୋଡ଼ଗୁଡିକ ମହାପ୍ରଭୁଙ୍କ ସେବାରେ ଲାଗିବ। ଘୋଡ଼ଗୁଡିକୁ ପ୍ରସ୍ତୁତ କରିବା ନିମନ୍ତେ ୨୨ ହାତିଆ ଗଡା ସୂତାପଟ, ପତନି ଏବଂ ଗୀତଗୋବିନ୍ଦ ପାଟ ଆବଶ୍ୟକ ହୋଇଥାଏ। ଏଥିରେ ୧୬ ହାତିଆ ୪ ପଟିଆ କନା ୪ଟି, ୧୧ ହାତିଆ ୪ ପଟିଆ ୨ଟି, ୭୨ ହାତିିଆ ପଟିଆ କନା ଗୋଟିଏ, ୩୬ ହାତିଆ ପଟିଆ କନା ୨ଟି, ଥୋଡ଼ ପାହାଡ଼ିଆ ୩ଟା, ଖଟ ପାଛୁଡ଼ି ୩ଟି, ଏବଂ ଫୁଲଛେଦ ୨ଟି ଲେଖାଏ ପ୍ରସ୍ତୁତି ହୋଇଥାଏ। ଶ୍ରୀବିଗ୍ରହଙ୍କ ସମେତ ଅନେକ ପାଶର୍‌ବ ଦେବଦେବୀଙ୍କ ପାଇଁ ମଧ୍ୟ ଘୋଡ଼ ପ୍ରସ୍ତୁତ ହୋଇଛି। ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ବଡ଼ ଠକୁର ବଳଭଦ୍ର, ମା’ ସୁଭଦ୍ରାଙ୍କ ନିମନ୍ତେ ଗୀତଗୋବିନ୍ଦ ପାଟରେ ଘୋଡ଼ ପ୍ରସ୍ତୁତ କରାଯାଇଥାଏ। ସେହିପରି ସୂର୍ଯ୍ୟ, ଗରୁଡ଼, ମନ୍ଦିର ଭିତର ନୃସିଂହ, ଗୁଣ୍ଡିଚା ମନ୍ଦିର ପାଖ ନୃସିଂହ ଏବଂ କାକୁଡ଼ିଖାଇ ମା’ କାକୁଡି ଖାଇ ଓ ପାର୍ଶ୍ୱଦେବଦେବୀଙ୍କ ନିମନ୍ତେ ମଧ୍ୟ ଘୋଡ଼ ପ୍ରସ୍ତୁତ କରାଯାଇଛି। ଏହି ଘୋଡ଼ଗୁଡିକରେ ପତନୀ କନା ଓ ସୂତାପଟକୁ ବ୍ୟବହାର କରାଯାଇଛି।