ନୂଆଦିଲ୍ଲୀ,୨୬।୯: ବୃନ୍ଦାବନର ପ୍ରସିଦ୍ଧ ସନ୍ଥ ପ୍ରେମାନନ୍ଦ ମହାରାଜଙ୍କ ଶିଷ୍ୟ ରସିକ ଦୁଲାରୀ ଶରଣ ଆଶ୍ରମର ଚତୁର୍ଥ ମହଲାରୁ ଖସିପଡ଼ି ମୃତ୍ୟୁବରଣ କରିଛନ୍ତି। ଘଟଣାଟି ବୃନ୍ଦାବନ ଅଞ୍ଚଳର ଗୁରୁ କୃପା କୁଞ୍ଜରେ ଘଟିଛି। କୁହାଯାଉଛି ଯେ ଶୁକ୍ରବାର ସକାଳ ପ୍ରାୟ ୧୦ଟା ୩୦ ମିନିଟ୍ରେ ଦୀପକ ରସିକ ଦୁଲାରୀ ଚତୁର୍ଥ ମହଲାରୁ ଡେଇଁ ଆତ୍ମହତ୍ୟା କରିଥିଲେ।
ଘଟଣା ପରେ ତାଙ୍କ ମୁଣ୍ଡ ଓ ଶରୀରରେ ଗୁରୁତର ଆଘାତ ମିଳିଥିଲା। ଆଶ୍ଚର୍ଯ୍ୟଜନକ ଭାବେ ତାଙ୍କ ଗୁପ୍ତାଙ୍ଗରେ ମଧ୍ୟ ଆଘାତ ଥିବା କୁହାଯାଉଛି। କୋଠାରୁ ତଳକୁ ପଡ଼ିବା ପରେ ଗୁରୁତର ଅବସ୍ଥାରେ ତାଙ୍କୁ ସର୍ବୋଦୟ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା।
ପୋଲିସକୁ ଘଟଣା ସମ୍ପର୍କରେ କିଛି ସମୟ ପରେ ସୂଚନା ମିଳିଥିଲା। ଆଶ୍ରମ ସହ ଜଡ଼ିତ କିଛି ଲୋକ ହିଁ ରସିକଙ୍କୁ ହସ୍ପିଟାଲକୁ ନେଇଥିଲେ। ରସିକ ଦୁଲାରୀଙ୍କ ପ୍ରକୃତ ନାମ ଦୀପକ ଲୋଧି ବୋଲି କୁହାଯାଇଛି। ସେ ମଧ୍ୟପ୍ରଦେଶର ଜବଲପୁରର ବାସିନ୍ଦା ଥିଲେ।
ପୋଲିସର କହିବା ଅନୁଯାୟୀ, ପ୍ରାଥମିକ ତଦନ୍ତରେ ଏହା ଆତ୍ମହତ୍ୟା ମାମଲା ପରି ଲାଗୁଛି। ତେବେ ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ମୃତଦେହର ପୋଷ୍ଟମର୍ଟମ କରାଯିବ। ଫରେନ୍ସିକ୍ ଟିମ୍ ମଧ୍ୟ ଘଟଣାସ୍ଥଳରୁ ପ୍ରମାଣ ସଂଗ୍ରହ କରୁଛି।
ରସିକ ନିଜ ଗୁପ୍ତାଙ୍ଗରେ ଆଘାତ କରିବା ପରେ ଚତୁର୍ଥ ମହଲାରୁ ଡେଇଁ ଆତ୍ମହତ୍ୟା କାହିଁକି କଲେ, ତାହାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ପୋଲିସ ଆତ୍ମହତ୍ୟା ସହ ହତ୍ୟା ଦିଗରୁ ମଧ୍ୟ ଘଟଣାର ତଦନ୍ତ କରୁଛି।