Categories: HomeHome LeftTrending

କ୍ରିକେଟ୍‌ରେ ଇତିହାସ ରଚିଲେ ପ୍ରେମା: ମାତ୍ର ୧୪ ବଲ୍‌ରେ କଲେ ଏମିତି କାରନାମା, ଭାଙ୍ଗିଲେ ପାକିସ୍ତାନୀ ଖେଳାଳିଙ୍କ ରେକର୍ଡ

ନୂଆଦିଲ୍ଲୀ,୩।୧୧:ଛକା ଓ ଚୌକା ବର୍ଷା କରି ମାତ୍ର ୧୪ଟି ବଲ୍‌ରେ ଅର୍ଦ୍ଧଶତକ ହାସଲ କରିଛନ୍ତି ଉତ୍ତରାଖଣ୍ଡର ମହିଳା କ୍ରିକେଟର ପ୍ରେମା ରାୱତ। ସିନିୟର ମହିଳା ଟି-୨୦ ଟ୍ରଫିରେ ହାଇଦ୍ରାବାଦ ବିପକ୍ଷରେ ଏହି ବିସ୍ଫୋରକ ଇନିଂସ ଖେଳି ସେ ମହିଳା କ୍ରିକେଟ ଇତିହାସରେ ଦ୍ରୁତତମ ଅର୍ଦ୍ଧଶତକର ରେକର୍ଡ କରିଛନ୍ତି। ଏହା ସହ ପାକିସ୍ତାନର ଫାତିମା ସନାଙ୍କ ରେକର୍ଡ ଭାଙ୍ଗିଛନ୍ତି ପ୍ରେମା।
ଏହା ପୂର୍ବରୁ ପାକିସ୍ତାନର ଫାତିମା ସନା ଜିମ୍ବାୱେ ବିପକ୍ଷରେ ୧୫ଟି ବଲ୍ରେ ଅର୍ଦ୍ଧଶତକ ହାସଲ କରିଥିଲେ। ଏବେ ମାତ୍ର ୧୪ଟି ବଲ୍‌ରେ ଏହି ସଫଳତା ହାସଲ କରି ପ୍ରେମା ନୂଆ ରେକର୍ଡ ନିଜ ନାମରେ କରିଛନ୍ତି। ଚତୁର୍ଥ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ପ୍ରେମା ପ୍ରଥମ ବଲ୍‌ରେ ରନ କରିପାରି ନ ଥିଲେ। ହେଲେ ଏହାପରେ ତାଙ୍କ ବ୍ୟାଟ୍‌ରୁ ଛକା ଓ ଚୌକାର ବର୍ଷା ହୋଇଥିଲା। ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ବଲ୍‌ରେ ଲଗାତାର ତିନୋଟି ଚୌକା ମାରିଥିଲେ। ପରବର୍ତ୍ତୀ ବଲ୍‌ରେ ଡଟ ଖେଳିବା ପରେ ଛକା ମାରିଥିଲେ।

ଏହାପରେ ମଧ୍ୟ ତାଙ୍କ ଆକ୍ରମଣ ଜାରି ରହିଥିଲା। ପରବର୍ତ୍ତୀ ୭ଟି ବଲ୍‌ରେ ୩ଟି ଛକା, ୩ଟି ଚୌକା ଓ ଗୋଟିଏ ଡବଲ ରନ ସଂଗ୍ରହ କରି ୧୪ ବଲ୍‌ରେ ନିଜ ଅର୍ଦ୍ଧଶତକ ପୂରଣ କରିଥିଲେ। ଏହି ଇନିଂସରେ ସେ ମାତ୍ର ୩ଟି ବଲ୍‌ରେ ରନ କରିପାରି ନ ଥିଲେ।

ଉତ୍ତରାଖଣ୍ଡର ବାଗେଶ୍ୱର ଜିଲାର ବାସିନ୍ଦା ପ୍ରେମା ରାୱତଙ୍କ କ୍ରିକେଟ ଯାତ୍ରା ଖୁବ ସଂଘର୍ଷପୂର୍ଣ୍ଣ। ତାଙ୍କ ବାପା କେଦାର ସିଂହ ରାୱତ ଭାରତୀୟ ବାୟୁସେନାରେ କାର୍ଯ୍ୟରତ। ଗାଁରେ ଭାଇମାନଙ୍କ ସହ କ୍ରିକେଟ ଖେଳିବାରୁ ତାଙ୍କ ଏହି ଯାତ୍ରା ଆରମ୍ଭ ହୋଇଥିଲା। କ୍ରିକେଟ ପୂର୍ବରୁ ସେ ଆଥଲେଟିକ୍ସ ଓ ହକି ଖେଳୁଥିଲେ। ହକିରେ ରାଜ୍ୟସ୍ତରୀୟ ଓ ସ୍କୁଲ ଗେମ୍ସରେ ମଧ୍ୟ ଭାଗ ନେଇଥିଲେ। ଦ୍ୱାଦଶ ଶ୍ରେଣୀ ପରେ ବାପାଙ୍କ ସହ ଆଲୋଚନା କରି କ୍ରିକେଟକୁ ପୂର୍ଣ୍ଣ ସମୟ ଦେବାକୁ ନିଷ୍ପତ୍ତି ନେଇଥିଲେ। ପରିବାରର ସମର୍ଥନ ପାଇ ଘରୋଇ କ୍ରିକେଟ୍‌ରେ ଉତ୍ତରାଖଣ୍ଡ ମହିଳା ଦଳ ପକ୍ଷରୁ ଖେଳିବା ଆରମ୍ଭ କରିଥିଲେ।

୨୦୨୩ ସିନିୟର ମହିଳା ଟି-୨୦ ଟ୍ରଫିରେ ସର୍ବାଧିକ ଉଇକେଟ ନେଇ ସେ ଚର୍ଚ୍ଚାକୁ ଆସିଥିଲେ। ୨୦୨୪ ଉତ୍ତରାଖଣ୍ଡ ପ୍ରିମିୟର ଲିଗ୍‌ର ଫାଇନାଲରେ ପ୍ଲେୟାର ଅଫ ଦି ମ୍ୟାଚ ହୋଇଥିଲେ। ଏହାପରେ ୨୦୨୫ ମହିଳା ପ୍ରିମିୟର ଲିଗ (WPL)ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ତାଙ୍କୁ ୧.୨ କୋଟି ଟଙ୍କାରେ କିଣିଥିଲା। ଜୁନ ୨୦୨୬ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସେ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ମଧ୍ୟ ପଦାର୍ପଣ କରିଥିଲେ।

 

Dharitri – Odisha’s No.1 Odia Daily

 

Share