ଗର୍ଭବତୀ ସ୍ତ୍ରୀଙ୍କୁ ହାଣିଦେଲେ କୁରାଢ଼ିରେ

ବାରିପଦା ଅଫିସ,୨୦ା୧୧-ମୟୂରଭଞ୍ଜ ଜିଲା ବେତନଟୀ ଥାନା କୃଷ୍ଣଚନ୍ଦ୍ରପୁର ଫାଣ୍ଡି ଅଧୀନ ଜଗନ୍ନାଥପୁର ଗ୍ରାମରେ ଜଣେ ୮ ମାସର ଗର୍ଭବତୀ ସ୍ତ୍ରୀଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଛନ୍ତି। ହତ୍ୟାକାଣ୍ଡ ପରେ ଫେରାର ଥିବା ସ୍ବାମୀ ମାଖନ ପୂର୍ତ୍ତିଙ୍କୁ ପୋଲିସ ଶନିବାର ଅପରାହ୍ନରେ ସ୍ଥାନୀୟ ଜଙ୍ଗଲରୁ ଗିରଫ କରିଛି।

ସୂଚନା ଅନୁଯାୟୀ, ଶୁକ୍ରବାର ବିଳମ୍ବିତ ରାତିରେ କୌଣସି ଘଟଣାକୁ ନେଇ ସମ୍ପୃକ୍ତ ଦମ୍ପତିଙ୍କ ମଧ୍ୟରେ କଳହ ଲାଗିଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ମାଖନ ଏକ କୁରାଢ଼ିରେ ସ୍ତ୍ରୀ ମଙ୍ଗୁଳିଙ୍କ ମୁଣ୍ଡ ଓ ବେକକୁ ହାଣି ଦେଇଥିଲେ। ଘଟଣାସ୍ଥଳରେ ମଙ୍ଗୁଳିଙ୍କ ମୃତ୍ୟୁ ଘଟିବା ପରେ ମାଖନ ଫେରାର ହୋଇଯାଇଥିଲେ। ଏନେଇ ମୃତା ମଙ୍ଗୁଳିଙ୍କ ବାପଘର ଲୋକେ ଥାନାରେ ଅଭିଯୋଗ କରିଥିଲେ। ବେତନଟୀ ପୋଲିସ ଓ ସାଇଣ୍ଟିିଫିକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ନମୁନା ସଂଗ୍ରହ ପୂର୍ବକ ତଦନ୍ତ ଜାରି ରଖିଛନ୍ତି। ମୃତଦେହ ଜବତ ପରେ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ଏନେଇ ବେତନଟୀ ଥାନାରେ ଏକ ହତ୍ୟା ମାମଲା (ନଂ.୩୦୭/୨୧) ରୁଜୁ ହୋଇଛି।