Categories: ଜାତୀୟ

୫କି.ମି. ଯାଏ ବାଉଁଶ ଷ୍ଟ୍ରେଚରରେ ବୁହା ହେଲେ ଗର୍ଭବତୀ

ଶିଲଂ,୬।୯: ଜନସାଧରଣଙ୍କୁ ସମସ୍ତ ସୁବିଧା ସହ ଭଲ ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯାଉଛି ବୋଲି ସରକାର ଡିଣ୍ଡିମ ପିଟୁଛନ୍ତି। ହେଲେ ଏହାର ଜ୍ୱଳନ୍ତ ଉଦାହରଣ ଅନେକ ଥର ଦେଖିବାକୁ ମିଳିଛି। ଆଜିବି ଅନେକ ରାଜ୍ୟରେ ଲୋକମାନେ ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି। କିଛି ଏଭଳି ହୃଦୟବିଦାରକ ଦୃଶ୍ୟ ମେଘାଳୟରୁ ଆସିଛି। ମେଘାଳୟର ରି-ଭୋଇ ଜିଲାରେ କୌଣସି ଆମ୍ବୁଲାନ୍ସ କିମ୍ବା ଅନ୍ୟ କୌଣସି ଯାନବାହନ ନ ମିଳିବାରୁ ସୋମବାର ଜଣେ ଗର୍ଭବତୀ ମହିଳାଙ୍କୁ ଜଲିଲାମ ଗାଁର ସ୍ବେଚ୍ଛାସେବୀମାନେ ୫କିଲୋମିଟର ଯାଏ ବାଉଁଶ ଷ୍ଟ୍ରେଚରରେ ବୋହି ହସ୍ପିଟାଲକୁ ନେଇଥିଲେ। ମହିଳା ଜଣକ ହସ୍ପିଟାଲରେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିବା ବେଳେ ଏବେ ମା’ ଛୁଆ ସୁସ୍ଥ ଥିବା ନେଇ ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଏହି ଯାତ୍ରା ସମୟରେ ଗର୍ଭବତୀଙ୍କର ଉଚ୍ଚ ରକ୍ତଚାପ ବୃଦ୍ଧି ପାଇଥିବା ବେଳେ ପ୍ରସବ ପୀଡ଼ା ସହ ସେ ସଂଘର୍ଷ କରିଥିଲେ। କିନ୍ତୁ ସୌଭାଗ୍ୟବଶତଃ ସେ ଠିକ୍‌ ସମୟରେ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚିଯାଇଥିଲେ। ଏହାପରେ ତାଙ୍କର ଚିକିତ୍ସା ହୋଇଥିଲା। ଅନ୍ୟପଟେ ଗର୍ଭବତୀ ମହିଳାଙ୍କୁ ଅସ୍ଥାୟୀ ଷ୍ଟ୍ରେଚରରେ ନିଆଯିବାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓକୁ ଦେଖି ଲୋକମାନେ ପ୍ରଶାସନକୁ କଡ଼ା ସମାଲୋଚନା କରୁଛନ୍ତି।

Share