Categories: ଜାତୀୟ

ଗର୍ଭବତୀ ରେଞ୍ଜରଙ୍କୁ ଗୋଇଠା ମାଡ଼

ମୁମ୍ବାଇ,୨୦।୧: ଜଣେ ଗର୍ଭବତୀ ଫରେଷ୍ଟ ରେଞ୍ଜରଙ୍କୁ ବାଳରୁ ଘୋଷାଡ଼ି ଗୋଇଠା ମାଡ଼ ଦେଇଛନ୍ତି ଜଣେ ପୂର୍ବତନ ସରପଞ୍ଚ ଓ ତାଙ୍କ ପତ୍ନୀ। ଏଭଳି ଘଟଣା ଘଟିଛି ମହାରାଷ୍ଟ୍ରର ସାତାରା ଜିଲାରେ। ଭାଇରାଲ ଭିଡିଓରେ ପାଲସାଭାଡେର ପୂର୍ବତନ ସରପଞ୍ଚ ରାମଚନ୍ଦ୍ର ଗଙ୍ଗରାମ ଜାଙ୍କର ଓ ତାଙ୍କ ପତ୍ନୀ ପ୍ରତିଭା ଜାଙ୍କର ମହିଳା ରେଞ୍ଜରଙ୍କୁ ନିର୍ଯାତନା ଦେଉଥିବା ଦେଖିବାକୁ ମିଳିଛି। ଘଟଣାକୁ ଅନ୍ୟ ଜଣେ ଜଙ୍ଗଲ ଅଧିକାରୀ ଭିଡିଓ ଶୁଟ୍‌ କରିଥିଲେ।

ସ୍ଥାନୀୟ ଜଙ୍ଗଲ କମିଟିରେ ସଦସ୍ୟ ଅଛନ୍ତି ଜାଙ୍କର। ତାଙ୍କୁ ନ ଜଣାଇ ଶ୍ରମିକଙ୍କୁ ଅନ୍ୟତ୍ର ମୁତୟନ କରିଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ତାଙ୍କୁ ସୋମବାର ଡକାଇ ଧମକାଇଥିଲେ ପୂର୍ବତନ ସରପଞ୍ଚ। ଏଥିଯୋଗୁ ଗତକାଲି ମହିଳା ରେଞ୍ଜର ଓ ତାଙ୍କ ସ୍ବାମୀଙ୍କୁ ଆକ୍ରମଣ କରାଯାଇଥିଲା।

ଏକ ଭିଡିଓରେ ପୂର୍ବତନ ସରପଞ୍ଚ ଯୁକ୍ତି କରୁଥିବା ବେଳେ ତାଙ୍କ ପତ୍ନୀ ଆସି ମହିଳା ରେଞ୍ଜର ଓ ତାଙ୍କ ସ୍ବାମୀଙ୍କୁ ଚପଲରେ ମାରିବା ଆରମ୍ଭ କରିଥିଲେ। ଗର୍ଭବତୀ ମହିଳା ରେଞ୍ଜରଙ୍କ ବାଳରୁ ଧରି ଜାଙ୍କର ଘୋଷାଡ଼ି ନେଇ ବିଧା ଓ ଗୋଇଠା ମାରୁଥିବା ଦେଖିବାକୁ ମିଳିଛି। ଭିଡିଓ ଭାଇରାଲ ହେବା ପରେ ଜାଙ୍କର ଓ ତାଙ୍କ ପତ୍ନୀଙ୍କ ବିରୋଧରେ ବିଭିନ୍ନ ଆଇପିସି ଦଫାରେ ମାମଲା ରୁଜୁ କରାଯାଇଛି।

Share