Categories: ଜାତୀୟ

ଗର୍ଭବତୀ କାଉନସିଲରଙ୍କୁ ଭାଜପା ବିଧାୟକ ଦେଲେ ଧକ୍କା: ଗର୍ଭପାତ ଅଭିଯୋଗ ଆଣିଲେ ସ୍ବାମୀ

ବେଙ୍ଗାଲୁରୁ,୨।୧୨: କର୍ନାଟକରେ ଜଣେ ଗର୍ଭବତୀ କାଉନସିଲରଙ୍କୁ ଭାଜପା ବିଧାୟକ ଏବଂ ତାଙ୍କ ସମର୍ଥକ ଧକ୍କା ମାରିବା ଅଭିଯୋଗ ହୋଇଛି। ଏହା ଯୋଗୁ ଗର୍ଭବତୀ କାଉନସିଲରଙ୍କ ଗର୍ଭପାତ ହୋଇଥିବା ଅଭିଯୋଗ ହୋଇଛି। କାଉନସିଲର ଜଣଙ୍କ ହେଉଛନ୍ତି ଚାନ୍ଦିନୀ ନାଇକ। ନଭେମ୍ବର ୯ରେ ବଗଲକୋଟ ପୌରପରିଷଦ ନିର୍ବାଚନ ସମୟରେ ବିଧାୟକ ସିଦ୍ଧୁ ସାଭଡି ଏବଂ ତାଙ୍କ ସମର୍ଥକମାନେ ଚାନ୍ଦିନୀଙ୍କ ପ୍ରତି ଖରାପ ବ୍ୟବହାର କରିବା ସହିତ ତାଙ୍କୁ ଧକ୍କାମାରି ତଳେ ପକାଇ ଦେଇଥିଲେ। ସେତେବେଳେ ଚାନ୍ଦିନୀ ୩ ମାସର ଗର୍ଭବତୀ ଥିଲେ ବୋଲି ସ୍ବାମୀ ନାଗେଶ ନାଇକ କହିଛନ୍ତି। ଘଟଣାପରେ ଚାନ୍ଦିନୀଙ୍କ ପେଟରେ ଯନ୍ତ୍ରଣା ହେବାରୁ ବାଧ୍ୟ ହୋଇ ଡାକ୍ତରଙ୍କ ପରାମର୍ଶ କ୍ରମେ ଗର୍ଭପାତ କରାଯାଇଥିବା ସେ କହିଛନ୍ତି। ଏବେ ଚାନ୍ଦିନୀ ସିଦ୍ଧୁଙ୍କ ବିରୋଧରେ ଆଇନଗତ ଲଢ଼େଇ ଲଢ଼ିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ଭାଜପାରେ ଏଭଳି ଘର କଳିରୁ ବିରୋଧୀ ଦଳ ଫାଇଦା ନେବାକୁ ଯୋଜନା କରୁଥିବା ଚର୍ଚ୍ଚା ହେଉଛି। ସୂଚନାଯୋଗ୍ୟ, ଚାନ୍ଦିନୀଙ୍କୁ ଧକ୍କା ଦେବା ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ବେଶ୍‌ ଭାଇରାଲ ହୋଇଥିଲା।

Share