ପ୍ରାର୍ଥିପତ୍ର ନାକଚ ପରେ ଗର୍ଭବତୀ ସମିତି ସଭ୍ୟ ପ୍ରାର୍ଥିନୀଙ୍କ ଧାରଣା

ଉମରକୋଟ,୨୩।୧(ସ୍ବ.ପ୍ର.): ଜାତି ପ୍ରମାଣପତ୍ର ଇନ୍‌ଭାଲିଡ ଥିବା ଦର୍ଶାଇ ବ୍ଲକ ନିର୍ବାଚନ ଅଧିକାରୀ ପ୍ରାର୍ଥିପତ୍ର ନାକଚ କରିଥିଲେ । ପ୍ରାର୍ଥିପତ୍ର ନାକଚ ପରେ ବ୍ଲକ କାର୍ଯ୍ୟାଳୟର ପାହାଚରେ ଧାରଣା ଦେଇଛନ୍ତି ଆଶାୟୀ ସମିତି ସଭ୍ୟା ପ୍ରାର୍ଥିନୀ ନମିତା ସାଗରିଆ । ଏଥିସହ ବିରୋଧୀଙ୍କ ସହ ମିଶି ବ୍ଲକ ନିର୍ବାଚନ ଅଧିକାରୀ ତାଙ୍କର ପ୍ରାର୍ଥିପତ୍ରକୁ ନାକଚ କରିଥିବା ଅଭିଯୋଗ ମଧ୍ୟ ଆଣିଛନ୍ତି । ଅନ୍ୟପଟେ ସେ ୩ ମାସର ଗର୍ଭବତୀ ରହିଥିବା ବେଳେ ତାଙ୍କର ଯଦି କିଛି ଅସୁବିଧା ହୁଏ ତାହେଲେ ପ୍ରଶାସନ ଦାୟୀ ରହିବେ ବୋଲି ଚେତାବନୀ ମଧ୍ୟ ଦେଇଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକରେ।
ନମିତା କହିଛନ୍ତି, ସେ ଗତ ୨୦ ତାରିଖରେ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ଏଥିପାଇଁ ଆବଶ୍ୟକ ସମସ୍ତ ତଥ୍ୟ ଓ କାଗଜପତ୍ର ବ୍ଲକ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାଖଲ କରିଥିଲେ। ଏପରିକି ତାଙ୍କୁ ତେନ୍ତୁଳିଖୁଣ୍ଟି ତହସିଲଦାର ଦେଇଥିବା ଜାତି ପ୍ରମାଣପତ୍ର ବି ଦାଖଲ କରିଥିଲେ। କିନ୍ତୁ ବ୍ଲକ ନିର୍ବାଚନ ଅଧିକାରୀ ଉକ୍ତ ଜାତି ପ୍ରମାଣପତ୍ରକୁ ଇନ୍‌ଭାଲିଡ କହି ପ୍ରାର୍ଥିପତ୍ର ନାକଚ କରି ଦେଇଥିଲେ। ତେନ୍ତୁଳିଖୁଣ୍ଟି ବିଡିଓ ଓ ତହସିଲଦାର ବିରୋଧୀଙ୍କ ସହ ମିଶି ତାଙ୍କ ବିରୋଧରେ ଚକ୍ରାନ୍ତ କରି ପ୍ରାର୍ଥିପତ୍ର ନାକଚ କରିଥିବା ସେ ଅଭିଯୋଗ କରିଛନ୍ତି।