ମହାକାଳପଡ଼ା,୧୦ା୬(ପ୍ରତାପ ଚନ୍ଦ୍ର ସ୍ବାଇଁ): ନିଶାପାନ କରି ଯୁବ ସମାଜ ପଥଭ୍ରଷ୍ଟ। ଏହାକୁ ଦୃଢ଼ ଭାବେ ବିରୋଧ ସହ ସମାଜ ପାଇଁ ସଚେତନତା ବାର୍ତ୍ତା ପ୍ରଦାନ ପାଇଁ ମଙ୍ଗଳବାର ଏକ ନିଶା ନିବାରଣ ଅଭିଯାନ ରଥ କେନ୍ଦ୍ରାପଡ଼ା ଜିଲା ମହାକାଳପଡା ବ୍ଲକ ଟିକରପଙ୍କା ପଞ୍ଚାୟତ ପରିକ୍ରମା କରିଛି। ଟିକରପଙ୍ଗା ଓ ନାରାୟଣପୁର ଶାନ୍ତି କମିଟି ସଭାପତି ନୃସିଂହ ଚରଣ ଲେଙ୍କାଙ୍କ ସଭାପତିତ୍ୱରେ ଆୟୋଜିତ ରଥ ଅଭିଯାନ ପରିକ୍ରମାରେ ଟିକରପଙ୍କା ପଞ୍ଚାୟତ ସରପଞ୍ଚ ଜ୍ୟୋତି ରଞ୍ଜନ ଖଟୁଆ, ମହିଳା ମହାସଂଘର ମା’, ଜନ ପ୍ରତିନିଧି, ସାମାଜିକ କର୍ମୀ ମିଳିତ ହୋଇଥିଲେ। ପଞ୍ଚାୟତ ଅନ୍ତର୍ଗତ ନରଣପୁର, ନଳଦିଆ ଶାସନ, ଟିକରପଙ୍ଗା, ଗତାନଈ ଆଦି ଗ୍ରାମରେ ନିଶା ନିବାରଣ ରଥ ପରିକ୍ରମା କରିଥିଲା। ନିଶା ସେବନ ଯୋଗୁ ଦୁର୍ଘଟଣାରେ ଅକାଳରେ ଯାଉଛି ଅନେକ ଜୀବନ। ଏଥିସହିତ ନିଶାସେବନ ଜନିତ ବିଭିନ୍ନ ଜରାରୋଗରେ ଝଡି ଯାଉଛି ଅମୂଲ୍ୟ ଜୀବନ। ନିଶାପାନରୁ ମୁକ୍ତି ପାଇଁ ପଞ୍ଚାୟତ ପକ୍ଷରୁ ଏହି ଅଭିଯାନ ଆରମ୍ଭ ହୋଇଛି ବୋଲି ସରପଞ୍ଚ ଖଟୁଆ କହିଛନ୍ତି। ଆଗାମୀ ଦିନରେ ପଞ୍ଚାୟତକୁ ନିଶାମୁକ୍ତି ପାଇଁ ବିଶାଳ ଧରଣର ଅଭିଯାନ ଆରମ୍ଭ ହେବ ବୋଲି ସେ କହିଛନ୍ତି। ଏହି ନିଶାମୁକ୍ତି ଅଭିଯାନରେ ସମିତି ସଭ୍ୟ ରାଜ ମିଶ୍ର, ଅଶୋକ ପରିଡ଼ା, ଶଶିକାନ୍ତ ପ୍ରଧାନ, ମହିଳା ମହାସଂଘ ସଦସ୍ୟାମାନେ ସାମିଲ ହୋଇଥିଲେ।