୫ ମାସ ହେଲା ଅନ୍ତେବାସୀଙ୍କୁ ମିଳିନି ପ୍ରି-ମାଟ୍ରିକ୍ ସ୍କଲାରସିପ୍, ହଷ୍ଟେଲ ଚଳାଇବା ପାଇଁ ପରିଚାଳକ ବାର ଦୁଆର ଶୁଣ୍ଢି ପିଣ୍ଡା

କୁଆଁରମୁଣ୍ଡା,୧୯।୮(ମହେନ୍ଦ୍ର କୁମାର ସାହୁ): ଗଣଶିକ୍ଷା ବିଭାଗ ଅଧୀନ ରେଗୁଲାର ହଷ୍ଟେଲରେ ରହୁଥିବା ଛାତ୍ରୀଛାତ୍ର ଗତ ଜୁଲାଇ ମାସରେ ୪ ମାସର ପିଏମଏସ( Pre Matric Scholarship) ମିଳିଥିଲା । ହେଲେ ସୁନ୍ଦରଗଡ ଜିଲାରେ ଗଣଶିକ୍ଷା ବିଭାଗ ଅଧୀନରେ ଚାଲୁଥିବା ହଷ୍ଟେଲ ଗୁଡିକୁ ମିଳିନାହିଁ ।ଫଳରେ ହଷ୍ଟେଲ ପରିଚାଳନାରେ ଗୁରୁତର ସମସ୍ୟା ସୃଷ୍ଟି ହେବାକୁ ବସିଲାଣି । ଅପ୍ରେଲ ମାସରୁ ଅଗଷ୍ଟ ପର୍ଯ୍ୟନ୍ତ ୫ ମାସ ହେଲା ପିଏମଏସ ଷ୍ଟାଇପେଣ୍ଡ ଅନ୍ତେବାସୀମାନଙ୍କୁ ମିଳି ନଥିବାରୁ ହଷ୍ଟେଲ ପରିଚାଳନା ପାଇଁ ଦାୟିତ୍ୱରେ ଥିବା ପରିଚାଳକମାନେ ଆର୍ଥିକ ଅନାଟନର ସମ୍ମୁଖୀନ ହେଉଛନ୍ତି ।ହଷ୍ଟେଲ ପରିଚାଳନା ପାଇଁ ସେମାନଙ୍କୁ ଧାର ଉଧାର କରିବାକୁ ବାଧ୍ୟ ହେବାକୁ ପଡୁଛି।

ରାଶନ ଦୋକାନୀ ଠାରୁ ଆରମ୍ଭ କରି ସମସ୍ତେ ଉଧାର ଦେଇଥିବାରୁ ପରିଚାଳକମାନଙ୍କୁ ଧାର ଉଧାର ହଷ୍ଟେଲ ଚଳାଉଛନ୍ତି । ଗୋଟିଏ ପଟେ ରେଗୁଲାର ହଷ୍ଟେଲକୁ ଗତ ଜୁଲାଇ ମାସରୁ ଷ୍ଟାଇପେଣ୍ଡ ଅର୍ଥ ରାଶି ଆସି ଯାଇଥିବା ବେଳେ ପ୍ରାୟ ୧ ମାସ ପୁରିବାକୁ ଆସିଲାଣି ହେଲେ ରେକଗ୍ନାଇଜ୍ ହଷ୍ଟେଲକୁ ନ ମିଳିବାକୁ ନେଇ ପରିଚାଳକମାନଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଏ ସମ୍ପର୍କରେ ସୁନ୍ଦରଗଡ ଜିଜିଲାର ହଷ୍ଟେଲ ସ୍କୁଲ ପିଏମଏସ ସଂଯୋଜକ ସୌଗତ ମହାପାତ୍ରଙ୍କୁ ପଚରାଯିବାରେ ସେ କହିଲେ ଯେ ଜିଲାର ମୋଟ ୭୫ ଟି ରେକଗ୍ନାଇଜଡ ହଷ୍ଟେଲ ମଧ୍ୟରୁ କେବଳ ୧୬ ଟି ସ୍କୁଲ ପୂର୍ଣ୍ଣାଙ୍ଗ ରିପୋର୍ଟ ଦେଇଥିବାରୁ ଆମେ ତାଙ୍କର ରିପୋର୍ଟକୁ ମଙ୍ଗଳବାର ରାଜ୍ୟକୁ ପଠାଇଛୁ।

ରାଜ୍ୟରୁ ପାସ ହେଲା ପରେ ସେମାନଙ୍କୁ ପିଏମଏସ ମିଳିଯିବ ବୋଲି ମହାପାତ୍ର ସୂଚନା ଦେଇଥିଲେ । ଅବଶିଷ୍ଟ ସ୍କୁଲ ଯେବେ ପୂର୍ଣ୍ଣାଙ୍ଗ ରିପୋର୍ଟ ଆମକୁ ଦେବେ ତାହା ପରେ ସେମାନଙ୍କୁ ମିଳିବାର ବ୍ୟବସ୍ଥା କରାଯିବ ବୋଲି କହିଥିଲେ। ତେବେ ଦେଖିବାକୁ ବାକି ରହିଲା କେବେ ମିଳିବ ଷ୍ଟାଇପେଣ୍ଡ ।

 

Dharitri – Odisha’s No.1 Odia Daily