ବାଥ୍‌ରୁମ୍‌ରୁ ମିଳିଲା ସେଲିବ୍ରିଟି ଫ୍ୟାଶନ ଡିଜାଇନର୍‌ ପ୍ରତ୍ୟୁଷାଙ୍କ ମୃତଦେହ

ହାଇଦ୍ରାବାଦ: ଟଲିଉଡ୍‌ଜଗତରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ବାଥରୁମ୍‌ରୁ ମିଳିଛି ସେଲିବ୍ରିଟି ଫ୍ୟାଶନ ଡିଜାଇନର ପ୍ରତ୍ୟୁଷା ଗାରିମେଲାଙ୍କ ମୃତଦେହ। ହାଇଦ୍ରାବାଦ ସ୍ଥିତ ବଞ୍ଜାରା ହିଲ୍ସ ଆପାର୍ଟମେଣ୍ଟର ବାଥରୁମ୍‌ରୁ ଶନିବାର ତାଙ୍କ ମୃତଦେହ ସନ୍ଦିଗ୍ଧ ଅବସ୍ଥାରେ ଉଦ୍ଧାର କରାଯାଇଛି। ଏପରିକି ତାଙ୍କ କୋଠରୀରୁ କାର୍ବନ ମନୋକ୍ସାଇଡ ବୋତଲ ଜବତ ହୋଇଛି। ଏହାକୁ ଷ୍ଟିମ୍‌ ସହ ସେ ନେଇଥିବାରୁ ତାଙ୍କର ମୃତ୍ୟୁ ହୋଇଥିବା ପୋଲିସ ସନ୍ଦେହ କରୁଛି।

ପ୍ରତ୍ୟୁଷାଙ୍କ ପରିବାରଲୋକଙ୍କୁ ତାଙ୍କ ମୃତ୍ୟୁ ନେଇ ଖବର ଦିଆଯାଇଛି। ସେ ମାନସିକ ଚାପରେ ଥିଲେ ବୋଲି କୁହାଯାଉଛି। ପୋଲିସ ତାଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଉସମାନିଆ ହସ୍ପିଟାଲକୁ ପଠାଇଛି। ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ତାଙ୍କ ଘରୁ ଏକ ଚିଠି ମଧ୍ୟ ଜବତ ହୋଇଛି। ଏଥିରେ ତାଙ୍କ ମୃତ୍ୟୁକୁ ନେଇ କାହାକୁ ମଧ୍ୟ ଦାୟୀ କରାଯାଇ ନାହିଁ। ଏଥିରେ ‘ବେଶ ଏକୁଟିଆ ଅନୁଭବ କରୁଛି। ଡିପ୍ରେସନରେ ଅଛି’ ବୋଲି ଲେଖାଥିବା ପୋଲିସ କହିଛି।

୩୫ ବର୍ଷୀୟ ପ୍ରତ୍ୟୁଷା ହାଇଦ୍ରାବାଦର ବଞ୍ଜାରା ହିଲ୍ସର ଫିଲ୍ମ ନଗରରେ ଥିବା ଏକ ଆପାର୍ଟମେଣ୍ଟରେ ରହୁଥିଲେ। ସେ ଆମେରିକାରେ ଫ୍ୟାଶନ ଡିଜାଇନ୍‌ର ପାଠ ପଢ଼ିବା ପରେ ହାଇଦ୍ରାବାଦରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ପ୍ରଥମେ ସେ ବାପାଙ୍କ ବ୍ୟବସାୟରେ ସାମିଲ ହୋଇଥିଲେ। ହେଲେ ପରେ ସେ ଏହି ବିଜନେସ ଛାଡି ଡ୍ରେସ ଡିଜାଇନ କରିବା ଆରମ୍ଭ କରିଥିଲେ। ୨୦୧୩ରେ ସେ ଏଥିରେ ସଫଳତା ପାଇଥିଲେ। ସେ ଅନେକ ଟଲିଉଡର କଳାକାରଙ୍କ ସହ କାମ କରିଛନ୍ତି। ବଲିଉଡ୍‌ରେ ମଧ୍ୟ ତାଙ୍କର ସ୍ବତନ୍ତ୍ର ପରିଚୟ ରହିଛି।

Share