ଶେୟାର ମାର୍କେଟରେ ଲାଗିଛି ପ୍ରତାପଙ୍କ ଟଙ୍କା

ଭୁବନେଶ୍ୱର,୧୩।୧୧(ବ୍ୟୁରୋ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇ ଜେଲ ଯାଇଥିବା ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ଓ୍ବେଲ୍‌ଫେୟାର କର୍ପୋରେଶନ(ଓପିଏଚ୍‌ଡବ୍ଲ୍ୟୁସି)ର ଡେପୁଟି ମ୍ୟାନେଜର ପ୍ରତାପ କୁମାର ସାମଲଙ୍କ କଳା କାରନାମାର ପେଡ଼ିି ଖୋଲିବାରେ ଲାଗିଛି। ପ୍ରତାପ ଓଡ଼ିଆ ଚଳଚ୍ଚିତ୍ରରେ ଟଙ୍କା ଲଗାଇବା ସହ ଶେୟାର ମାର୍କେଟ୍‌ରେ ବି ନିବେଶ କରିଥିବା ଭିଜିଲାନ୍ସ ଜାଣିବାକୁ ପାଇଛି। ପାଖାପାଖି ୧ କୋଟି ୭ଲକ୍ଷ ୩୭ ହଜାର ୮୩୧ ଟଙ୍କା ସେ ନିବେଶ କରିଛନ୍ତି। ତେବେ ବର୍ତ୍ତମାନ ଏହି ଟଙ୍କା ବଢ଼ିଯାଇଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି। ଏହି ଟଙ୍କାକୁ ଭିଜିଲାନ୍ସ ପକ୍ଷରୁ ଜବତ କରାଯାଇଥିବା ସୂଚନା ମିଳିଛି।
ଅନ୍ୟପକ୍ଷରେ ପ୍ରତାପ ଆଉ କେଉଠି ଟଙ୍କା ନିବେଶ କରିଥିଲେ, ସୁଧ ବେପାର କରୁଥିଲେ କି ନାହିଁ, ତାଙ୍କ ସହ ଆଉ କେହି ସମ୍ପୃକ୍ତ ଅଛନ୍ତି କି ପ୍ରଭୃତି ଅନେକ ଦିଗକୁ ନେଇ ଭିଜିଲାନ୍ସ ଅନୁସନ୍ଧାନ ଜାରି ରଖିଛି। ସେହିପରି ୨୦୦୩ ଏବଂ ୨୦୦୫ରେ ନିର୍ମିତ ଦୁଇଟି ଓଡ଼ିଆ ସିନେମାରେ ପ୍ରତାପ ଟଙ୍କା ଲଗାଇଥିଲେ। ଏନେଇ ଭିଜିଲାନ୍ସ ଅଧିକ ଖୋଳତାଡ଼ କରୁଥିବା ବେଳେ ଓଡିଶା ଫିଲ୍ମ ଡେଭଲପମେଣ୍ଟ କର୍ପୋରେଶନ୍‌ (ଓଏଫ୍‌ଡ଼ିସି) ସହ ଯୋଗାଯୋଗ କରିଛି। ପ୍ରତାପଙ୍କ ସ୍ତ୍ରୀଙ୍କ ପ୍ରଯୋଜନାରେ ଆଉ କେତୋଟି ଫିଲ୍ମ ନିର୍ମାଣ ହୋଇଛି ତାହା ଜାଣିବା ପାଇଁ ଭିଜିଲାନ୍ସ ଓଏଫ୍‌ଡିସିକୁ ରିପୋର୍ଟ ମାଗିଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, ଅଦାଲତଙ୍କ ନିର୍ଦ୍ଦେଶକ୍ରମେ ଭିଜିଲାନ୍ସ ବିଭାଗ ପକ୍ଷରୁ ୧୦ଟି ଟିମ୍‌ ମଙ୍ଗଳବାର ତାଙ୍କ ଅଫିସ ଓ ବାସଭବନ ସମେତ ୯ ସ୍ଥାନରେ ଚଢ଼ାଉ କରିଥିଲେ। ୫ଟି କୋଠା ସହ ମୋଟ ୨୭ଟି ଅସ୍ଥାବର ସମ୍ପତ୍ତି ଠାବ କରାଯିବା ସମେତ ନଗଦ ୩୮. ୧୨ ଲକ୍ଷ ଟଙ୍କା ଜବତ ହୋଇଥିଲା। ପ୍ରତାପ ଏବଂ ତାଙ୍କ ସ୍ତ୍ରୀ ସସ୍ମିତା ସାମଲଙ୍କ ନାମରେ ସର୍ବମୋଟ୍‌ ୧୪.୮୭କୋଟି ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଠାବ କରାଯାଇଥିଲା। ଭିଜିଲାନ୍ସ ପ୍ରତାପ ଓ ସସ୍ମିତାଙ୍କ ନାମରେ ଏକ ମାମଲା (ନଂ. ୩୪/୨୧) ରୁଜୁ କରିଥିଲା। ବୁଧବାର ପ୍ରତାପଙ୍କୁ ଗିରଫ କରାଯାଇଥିବାବେଳେ ଗୁରୁବାର ତାଙ୍କୁ ଚାକିରିରୁ ନିଲମ୍ବନ କରାଯାଇଥିଲା।