ବଡ଼ ଦୁର୍ଘଟଣା: ଭୁଶୁଡ଼ି ପଡ଼ିଲା ଶହେ ବର୍ଷ ପୁରୁଣା କୋଠା, ଗୋଟିଏ ପରିବାରର ୬ ମୃତ

ଲକ୍ଷ୍ନୌ,୬।୮: ଉତ୍ତରପ୍ରଦେଶର ପ୍ରତାପଗଡ଼ରେ ଏକ ବଡ଼ ଦୁର୍ଘଟଣା ଘଟିଛି। ନଗର କୋତବାଲି ଅନ୍ତର୍ଗତ ମହୁଲି ନିକଟରେ ଏକ ଶହେ ବର୍ଷ ପୁରୁଣା ଜର୍ଜର ଘର ହଠାତ୍‌ ଭୁଶୁଡ଼ି ପଡ଼ିବାରୁ ଗୋଟିଏ ପରିବାରର ୬ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ଅନ୍ୟ ଜଣେ ଯୁବକ ଗୁରୁତର ଆହତ ହୋଇଥିବାବେଳେ ତାଙ୍କୁ ଚିକିତ୍ସା ନିମନ୍ତେ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି। ଏହି ଅଭାବନୀୟ ଘଟଣା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ପ୍ରତାପଗଡ଼ର ମହୁଲି ନହର ପାଖରେ ପ୍ରମୋଦ ଶ୍ରୀବାସ୍ତବ ନିଜର ପୂରା ପରିବାର ସହିତ ରହୁଥିଲେ। ସେଠାରେ ଗତ ଦୁଇ ଦିନ ହେବ କ୍ରମାଗତ ଭାବେ ବର୍ଷା ଜାରି ରହିଛି। ଗତ ବୁଧବାର ରାତିରେ ମଧ୍ୟ ପରିବାର ସମସ୍ତ ସଦସ୍ୟ ଗୋଟିଏ କୋଠରୀରେ ଶୋଇଥିଲେ, ଯେଉଁଥିରେ ଏସି (AC) ଲାଗିଥିବାରୁ ସେମାନେ ଏକାଠି ସେହି କୋଠରୀରେ ରହିଥିଲେ। ହେଲେ ମଧ୍ୟରାତ୍ରିରେ ହଠାତ୍‌ ଏହି ପୁରୁଣା ଘରଟି ଭୁଶୁଡ଼ି ପଡ଼ିଥିଲା। ଫଳରେ ପରିବାରର ସମସ୍ତ ୭ ଜଣ ସଦସ୍ୟ ଭଗ୍ନାବଶେଷ (ମାଟି ଓ ଇଟା କାନ୍ଥ) ତଳେ ଚାପି ହୋଇଯାଇଥିଲେ।

Odisha’s No.1 Odia Daily