ନୂଆଦିଲ୍ଲୀ,୩।୧୧: ନ୍ୟୁଜିଲାଣ୍ଡ ଗସ୍ତରେ ଭାରତୀୟ ଦଳକୁ ମିଳିଛି ବଡ଼ ଆଶ୍ୱସ୍ତି । ଟିମ୍ ଇଣ୍ଡିଆର ଷ୍ଟାର୍ ଦ୍ରୁତ ବୋଲର ପ୍ରସିଦ୍ଧ କୃଷ୍ଣାଙ୍କୁ ତିନୋଟି ଯାକ ଫର୍ମାଟ୍ ପାଇଁ ଫିଟ୍ ଘୋଷଣା କରିଛି ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ସେଣ୍ଟର ଅଫ୍ ଏକ୍ସଲେନ୍ସ (CoE)। ଏହା ଭାରତୀୟ ଦଳ ପାଇଁ ଏକ ବଡ଼ ଖୁସି ଖବର।
ନ୍ୟୁଜିଲାଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଦଳ ଘୋଷଣା ସମୟରେ ପ୍ରସିଦ୍ଧଙ୍କୁ ପ୍ରଥମ ତିନୋଟି ମ୍ୟାଚ୍ ପାଇଁ ସାମିଲ କରାଯାଇଥିଲା। କିନ୍ତୁ ପରେ ଆହତ ସମସ୍ୟା ଯୋଗୁଁ ସେ ସିରିଜ୍ରୁ ବାଦ୍ ପଡ଼ିଥିବା ବିସିସିଆଇ ସୂଚନା ଦେଇଥିଲା। ଏକ ରିପୋର୍ଟ ଅନୁସାରେ, ବେଙ୍ଗାଲୁରୁସ୍ଥିତ ସେଣ୍ଟର ଅଫ୍ ଏକ୍ସଲେନ୍ସରେ ଗତ ଦୁଇ ଦିନ ଧରି କରାଯାଇଥିବା ସିମୁଲେସନ୍ ଟେଷ୍ଟ ପରେ ମେଡିକାଲ୍ ଟିମ୍ ତାଙ୍କୁ ଫିଟ୍ ଘୋଷଣା କରିଛି । ଖୁବ୍ଶୀଘ୍ର ସେ ନ୍ୟୁଜିଲାଣ୍ଡ ଅଭିମୁଖେ ଯାତ୍ରା କରିପାରନ୍ତି । ସମ୍ଭବତଃ ଉପଲବ୍ଧ ପରବର୍ତ୍ତୀ ବିମାନରେ ସେ ନ୍ୟୁଜିଲାଣ୍ଡ ଯିବେ ।
ନଭେମ୍ବର ୭ରୁ ଆରମ୍ଭ ହେବାକୁ ଥିବା ଭାରତ-ଏ ଓ ନ୍ୟୁଜିଲାଣ୍ଡ-ଏ ମଧ୍ୟରେ ତୃତୀୟ ତଥା ଶେଷ ଅନୌପଚାରିକ ଟେଷ୍ଟ ମ୍ୟାଚ୍ ପାଇଁ ସେ ଉପଲବ୍ଧ ରହିପାରନ୍ତି । ତେବେ ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜ୍ରେ ସେ ଖେଳିବେ ନାହିଁ ବୋଲି ରିପୋର୍ଟରେ କୁହାଯାଇଛି।ଗତ ସେପ୍ଟେମ୍ବର ୩୦ ତାରିଖରେ ଗୁଆହାଟୀରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ୱିତୀୟ ଦିନିକିଆ ମ୍ୟାଚ୍ ସମୟରେ ପ୍ରସିଦ୍ଧ ହାମଷ୍ଟ୍ରିଂ ଆଘାତର ଶିକାର ହୋଇଥିଲେ । ଏହି କାରଣରୁ ସେ ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜ୍ରୁ ବାଦ୍ ପଡ଼ିଥିଲେ। ତେବେ ଆଗାମୀ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ରେ ସେ ଖେଳିବାର ସମ୍ଭାବନା ରହିଛି।