କିଏ ସେ ପ୍ରଶାନ୍ତ ସୀତାରାମ ଲୋଖାଣ୍ଡେ? ଯାହାଙ୍କୁ CBSEର ନୂତନ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଲେ କେନ୍ଦ୍ର ସରକାର, ବରୁଣ ଭାରଦ୍ୱାଜ…

ନୂଆଦିଲ୍ଲୀ, ୨।୫: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ରେ ଏକ ବଡ଼ ପ୍ରଶାସନିକ ପରିବର୍ତ୍ତନ ଦେଖିବାକୁ ମିଳିଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହାର ନୂତନ ଅଧ୍ୟକ୍ଷଙ୍କୁ ନିଯୁକ୍ତି ଦିଆଯାଇଛି। କ୍ୟାବିନେଟ ନିଯୁକ୍ତି କମିଟି (ACC) ମଙ୍ଗଳବାର ଜାରି କରିଥିବା ଏକ ନିର୍ଦ୍ଦେଶନାମା ଅନୁଯାୟୀ, ବରିଷ୍ଠ ଆଇଏଏସ୍‌ (IAS) ଅଧିକାରୀ ପ୍ରଶାନ୍ତ ସୀତାରାମ ଲୋଖାଣ୍ଡେଙ୍କୁ CBSE ର ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି। ଏହା ସହିତ ବରୁଣ ଭାରଦ୍ୱାଜଙ୍କୁ ବୋର୍ଡର ନୂତନ ସଚିବ ଭାବେ ନିଯୁକ୍ତ କରାଯାଇଛି।
ପ୍ରଶାନ୍ତ ସୀତାରାମ ଲୋଖଣ୍ଡେ ହେଉଛନ୍ତି ୨୦୦୧ ବ୍ୟାଚ୍‌ର AGMUT କ୍ୟାଡରର ଜଣେ ବରିଷ୍ଠ ଆଇଏଏସ୍‌ ଅଧିକାରୀ। ଏହି ନୂଆ ଦାୟିତ୍ୱ ପୂର୍ବରୁ ସେ କେନ୍ଦ୍ର ଗୃହ ମନ୍ତ୍ରଣାଳୟରେ ଅତିରିକ୍ତ ସଚିବ ଭାବେ କାର୍ଯ୍ୟରତ ଥିଲେ।  ନୂତନ ନିଯୁକ୍ତି ପରେ ସେ ପୂର୍ବତନ ଅଧ୍ୟକ୍ଷ ରାହୁଲ ସିଂହ (୧୯୯୬ ବ୍ୟାଚ, ବିହାର କ୍ୟାଡର)ଙ୍କ ସ୍ଥାନ ନେଇଛନ୍ତି। ରାହୁଲ ସିଂହଙ୍କୁ ଏବେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟରେ ଅତିରିକ୍ତ ସଚିବ ଭାବେ ନିଯୁକ୍ତି ମିଳିଛି।
ଏହି ବଡ଼ ପ୍ରଶାସନିକ ବଦଳି ଏଭଳି ଏକ ସମୟରେ ହୋଇଛି, ଯେତେବେଳେ CBSE ସାରା ଦେଶରେ ବୋର୍ଡ ପରୀକ୍ଷା, ମୂଲ୍ୟାଙ୍କନ ବ୍ୟବସ୍ଥା, ଡିଜିଟାଲାଇଜେସନ୍‌ ଏବଂ ପରୀକ୍ଷା ସଂସ୍କାର ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ କାର୍ଯ୍ୟ କରୁଛି।
ନିକଟ ଅତୀତରେ CBSE ର ଅନ-ସ୍କ୍ରିନ ମାର୍କିଂ ସିଷ୍ଟମ (OSM), ପୁନଃମୂଲ୍ୟାଙ୍କନ ପ୍ରକ୍ରିୟା ଏବଂ ପରୀକ୍ଷା ପରିଚାଳନାକୁ ନେଇ ବୋର୍ଡ ବେଶ ଚର୍ଚ୍ଚାରେ ରହିଥିଲା। ଏଭଳି ସ୍ଥିତିରେ ନୂଆ ଅଧ୍ୟକ୍ଷଙ୍କ ନିଯୁକ୍ତି ସଂଗଠନ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ  ବୋଲି କୁହାଯାଉଛି।
କ୍ୟାବିନେଟ ନିଯୁକ୍ତି କମିଟି (ACC) ଦ୍ୱାରା ଅନୁମୋଦିତ ଏହି ନିର୍ଦ୍ଦେଶ ୨ ଜୁନ ୨୦୨୬ରେ ଆନୁଷ୍ଠାନିକ ଭାବେ ପ୍ରକାଶ ପାଇଛି। ବର୍ତ୍ତମାନ ଶିକ୍ଷା ଜଗତ ସହ ଜଡ଼ିତ ଅଧିକାରୀ ଏବଂ ଦେଶର ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ନଜର ନୂଆ ଅଧ୍ୟକ୍ଷ ପ୍ରଶାନ୍ତ ଲୋଖଣ୍ଡେଙ୍କ ଉପରେ ରହିବ, ଯାହାଙ୍କ ନେତୃତ୍ୱରେ ବୋର୍ଡ ଆଗାମୀ ଦିନରେ ନିଜର ନୂଆ ନୀତି ଏବଂ ସଂସ୍କାର ପ୍ରକ୍ରିୟାକୁ ଆଗକୁ ବଢ଼ାଇବ।
Dharitri – Odisha’s No.1 Odia Daily

Share