ପ୍ରଶାନ୍ତ କିଶୋରଙ୍କ ବଡ଼ ପ୍ରସ୍ତୁତି: ନୀତୀଶ କୁମାରଙ୍କ ପୂର୍ବରୁ ନିଜେ କରିବେ ଏମିତି କାମ, ଦେଶରେ ଚହଳ

ପାଟନା,୨୧।୮: ଜନ ସୁରାଜ ପାର୍ଟିର ପ୍ରତିଷ୍ଠାତା ତଥା ବିଧାୟକ ପ୍ରଶାନ୍ତ କିଶୋର ଏବେ ବିହାରରେ ନିଜ ରାଜନୈତିକ ପ୍ରଭାବ ଆହୁରି ମଜବୁତ କରିବାକୁ ବଡ଼ ପ୍ରସ୍ତୁତି କରୁଛନ୍ତି। ନିର୍ବାଚନ ଜିତିବା ପରେ ସେ ‘ଆଭାର ବାଙ୍କିପୁର’ କାର୍ଯ୍ୟକ୍ରମ ମାଧ୍ୟମରେ ବିଭିନ୍ନ ୱାର୍ଡକୁ ଯାଇ ଲୋକଙ୍କୁ ଭେଟିଥିଲେ ଏବଂ ତାଙ୍କୁ ବିଧାୟକ ଭାବେ ଚୟନ କରିଥିବାରୁ ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇଥିଲେ।

ଏବେ ପ୍ରଶାନ୍ତ କିଶୋର ଆଉ ଏକ ବଡ଼ ଯୋଜନା କରିଥିବା ଖବର ଆସିଛି। ସୂଚନା ଅନୁସାରେ, ସେ ୧୫ ସେପ୍ଟେମ୍ବରରୁ ବିହାର ଯାତ୍ରାରେ ବାହାରିପାରନ୍ତି। ଏହି ଯାତ୍ରା ସମୟରେ ସେ ରାଜ୍ୟର ସମସ୍ତ ୩୮ଟି ଜିଲ୍ଲା ଗସ୍ତ କରିବାର ଯୋଜନା ରହିଛି।

ପ୍ରଶାନ୍ତ କିଶୋରଙ୍କ ଏହି ଯାତ୍ରା ଯୋଜନା ଏଭଳି ସମୟରେ ସାମ୍ନାକୁ ଆସିଛି, ଯେତେବେଳେ ନିକଟରେ JDUର ଜାତୀୟ କାର୍ଯ୍ୟକାରୀ ଅଧ୍ୟକ୍ଷ ସଞ୍ଜୟ ଝା ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ବିହାର ଯାତ୍ରା ସମ୍ପର୍କରେ ସୂଚନା ଦେଇଥିଲେ। ନୀତୀଶ କୁମାର ଅକ୍ଟୋବରରୁ ବିହାର ଯାତ୍ରାରେ ବାହାରିପାରନ୍ତି ବୋଲି ସଞ୍ଜୟ ଝା କହିଥିଲେ। ତେବେ ନୀତୀଶ କୁମାରଙ୍କ ଯାତ୍ରା ପୂର୍ବରୁ ହିଁ ପ୍ରଶାନ୍ତ କିଶୋର ଲୋକଙ୍କ ମଧ୍ୟରେ ପହଞ୍ଚିବାର ଯୋଜନା କରିଛନ୍ତି। ଏହାକୁ ନେଇ ବିହାରର ରାଜନୈତିକ ମାହୋଲ ଆହୁରି ସରଗରମ ହୋଇପାରେ।

ବାଙ୍କିପୁର ବିଧାନସଭା ଉପନିର୍ବାଚନର ବିଜୟ ପରେ ଜନ ସୁରାଜ ପାର୍ଟିରେ ନୂଆ ଉତ୍ସାହ ଦେଖାଯାଇଛି। ଏବେ ଦଳର ଫୋକସ ସମଗ୍ର ବିହାର ଉପରେ ରହିବ। ସଂଗଠନକୁ ମଜବୁତ କରିବା ସହ ଆଗାମୀ ନିର୍ବାଚନ ପାଇଁ ଦଳର ଭିତ୍ତିକୁ ଆହୁରି ମଜବୁତ କରିବା ଉପରେ ଗୁରୁତ୍ୱ ଦିଆଯିବ।

ଯାତ୍ରା ସମୟରେ ପ୍ରଶାନ୍ତ କିଶୋର ପୁଣିଥରେ ବିହାରର ଗାଁ ଓ ସହରାଞ୍ଚଳରେ ଲୋକଙ୍କ ସହ ସିଧାସଳଖ ଯୋଗାଯୋଗ କରିବେ। ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ଘେରିବା ସହ ସ୍ଥାନୀୟ ସମସ୍ୟାଗୁଡ଼ିକୁ ମଧ୍ୟ ଉଠାଇବେ।

ଏହା ସହ ଜନ ସୁରାଜ ପକ୍ଷରୁ ନୂଆ ଭାବେ ସଦସ୍ୟତା ଅଭିଯାନ ଆରମ୍ଭ କରିବାକୁ ମଧ୍ୟ ପ୍ରସ୍ତୁତି ଚାଲିଛି। ପ୍ରଶାନ୍ତ କିଶୋରଙ୍କ ବିହାର ଯାତ୍ରା ମାଧ୍ୟମରେ ବହୁ ସଂଖ୍ୟାରେ ନୂଆ ଲୋକ ଦଳ ସହ ଯୋଡ଼ି ହେବେ ବୋଲି ଜନ ସୁରାଜ ଆଶା ରଖିଛି।

 

 

Odisha’s No.1 Odia Daily

Share