Categories: ଜାତୀୟ

ଫଟୋ ଶେୟାର ନୀତୀଶଙ୍କୁ ଟାର୍ଗେଟ୍‌ କଲେ ପ୍ରଶାନ୍ତ କିଶୋର, ପରେ କରିଦେଲେ ଡିଲିଟ୍‌

ପାଟନା, ୮।୯: ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଗୁରୁବାର ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଫଟୋ ଜରିଆରେ ଟାର୍ଗେଟ୍‌ କରିଛନ୍ତି। ସେ ଟୁଇଟର୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ନୀତୀଶ କୁମାରଙ୍କ ୪ଟି ଫଟୋ ଶେୟାର କରିଛନ୍ତି। ଏହି ସମସ୍ତ ଫଟୋରେ ନୀତୀଶ କୁମାର ବିଭିନ୍ନ କାର୍ଯ୍ୟକ୍ରମରେ ମୋଦିଙ୍କ ଆଗରେ ନତମସ୍ତକ ହେଉଥିବା ଦେଖାଯାଇଛି। ରୋଚକ କଥା ହେଉଛି, ଫଟୋ ଛାଡିବାର କିଛି ସମୟ ପରେ ସେ ଟୁଇଟ୍‌ କରିଦେଇଛନ୍ତି। ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି।
ସୂଚନାଯୋଗ୍ୟ, ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ଭେଟିବା ପରେ ନୀତୀଶ କୁମାରଙ୍କୁ ଖବରଦାତା ମାନେ ଏକାଧିକ ପ୍ରଶ୍ନ କରିଥିଲେ। ଏହି ସମୟରେ ତାଙ୍କୁ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କ ଉପରେ ଏକ ପ୍ରଶ୍ନ ହେବାରୁ ସେ ରାଗିଯାଇଥିଲେ। ନିକଟରେ ପ୍ରଶାନ୍ତ କିଶୋର କହିଥିଲେ, ବିହାରରେ ଯାହା ଘଟିଛି ତାହା ଜାତୀୟ ରାଜନୀତିରେ ଅଧିକ ପ୍ରଭାବ ପକାଇବ ନାହିଁ। ଏହାର ଜବାବରେ ନୀତୀଶ କହିଛନ୍ତି,ପ୍ରଶାନ୍ତ କିଶୋରଙ୍କ କଥାବାର୍ତ୍ତାର କିଛି ଅର୍ଥ ନାହିଁ। ସେ ବିହାରର ଏ,ବି,ସି କିଛି ଜାଣନ୍ତି ନାହିଁ। ଯଦି ସେ କିଛି କହୁଛନ୍ତି, ତେବେ ବୁଝନ୍ତୁ ଯେ ତାଙ୍କ ମନ ଭାଜପା ସହିତ ରହିବ, ଏହା ଭାଜପାକୁ ସାହାଯ୍ୟ କରିବ। ସାରା ଦେଶରେ ସେ ଅନେକ ପାର୍ଟି ପାଇଁ କାର୍ଯ୍ୟ କରୁଛନ୍ତି। ତାଙ୍କର ଏହା ଏକ ବ୍ୟବସାୟ। ସେ ବିହାରରେ ଯାହା କରିବାକୁ ଚାହାଁନ୍ତି, ସେ କରନ୍ତୁ। ତାଙ୍କର ମନ୍ତବ୍ୟର କୌଣସି ଅର୍ଥ ନାହିଁ। ବୋଧହୁଏ ନୀତୀଙ୍କ ଏଭଳି ମନ୍ତବ୍ୟ ଶୁଣି ପ୍ରଶାନ୍ତ କିଶୋର ଏଭଳି ଟୁଇଟ୍‌ କରିଛନ୍ତି।
ସୂଚନାଯୋଗ୍ୟ, ନୀତୀଶ କୁମାର ଗତ ମାସରେ ବିହାରରେ ଭାଜପା ସହ ମେଣ୍ଟ ଭାଙ୍ଗି ଆରଜେଡି ସହ ସରକାର ଗଠନ କରିଥିଲେ। ସେବେଠାରୁ ସେ ବିରୋଧୀ ଏକତା ଉପରେ ଲଗାତାର ଗୁରୁତ୍ୱ ଦେଉଛନ୍ତି।

Share