Categories: ଜାତୀୟ

ଟୁଇଟର ଯୁଦ୍ଧରେ ପ୍ରଣବଙ୍କ ଝିଅ-ପୁଅ

ନୂଆଦିଲ୍ଲୀ, ୧୬।୧୨: ରାଷ୍ଟ୍ରପତି ଥିବାବେଳର ଅଭିଜ୍ଞତା ଓ କଂଗ୍ରେସର ନେତୃତ୍ୱକୁ ନେଇ ଭାରତର ପୂର୍ବତନ ରାଷ୍ଟ୍ରପତି ସ୍ବର୍ଗତ ପ୍ରଣବ ମୁଖାର୍ଜୀଙ୍କ ପୁସ୍ତକ ‘ଦି ପ୍ରେସିଡେନ୍ସିଆଲ ଇୟର୍ସ’ ପ୍ରକାଶନ ପୂର୍ବରୁ ବିବାଦୀୟ ହେବାରେ ଲାଗିଛି। ପୁସ୍ତକକୁ ପବ୍ଲିଶ ନ କରିବାକୁ ତାଙ୍କ ପୁଅ ଅଭିଜିତ୍‌ ମୁଖାର୍ଜୀ ପ୍ରକାଶକ ‘ରୁପା-ବୁକ୍ସ’କୁ ନିବେଦନ କରିଥିବାବେଳେ ଏହାକୁ ବିରୋଧ କରିଛନ୍ତି ଅଭିଜିତ୍‌ଙ୍କ ଭଉଣୀ ଶର୍ମିଷ୍ଠା ମୁଖାର୍ଜୀ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଟୁଇଟର ଯୁଦ୍ଧ ଚାଲିଥିବା ଦେଖିବାକୁ ମିଳିଛି। ୨୦୧୨ରେ ରାଷ୍ଟ୍ରପତି ନିର୍ବାଚିତ ହେବା ପରେ କଂଗ୍ରେସ ତାର ରାଜନୈତିକ ଏକାଗ୍ରତା ହରାଇଥିଲା। ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀ ସଙ୍ଗଠନକୁ ମଜଭୁତ କରିପାରି ନ ଥିଲେ। ଫଳରେ ଲଗାତର ଦୁଇଟି ନିର୍ବାଚନରେ କଂଗ୍ରେସକୁ ପରାଜୟର ମୁହଁ ଦେଖିବାକୁ ପଡିଥିଲା ବୋଲି ପ୍ରଣବ ଉକ୍ତ ପୁସ୍ତକରେ ଉଲ୍ଲେଖ କରିଥିଲେ। ଏହାକୁ ନେଇ କଂଗ୍ରେସରେ ବିବାଦ ସୃଷ୍ଟି ହୋଇଛି। ଅଭିଜିତ୍‌ ଓ ଶର୍ମିଷ୍ଠା କଂଗ୍ରେସର ସଦସ୍ୟ ଥିବାବେଳେ ସେମାନଙ୍କ ମଧ୍ୟରେ ମତଭେଦ ଦେଖିବାକୁ ମିଳିଛି। ପୁସ୍ତକ ପ୍ରକାଶନରେ କୌଣସି ବାଧା ନ ଉପୁଜାଇବାକୁ ଶର୍ମିଷ୍ଠା ତାଙ୍କ ଭାଇଙ୍କୁ ଟୁଇଟ ମାଧ୍ୟମରେ କହିଛନ୍ତି।

Share