Categories: ଖେଳ

ପ୍ରମୋଦ ସେମିଫାଇନାଲରେ

ଭୁବନେଶ୍ୱର, ୨୫ା୨ (କ୍ରୀଡ଼ା ପ୍ରତିନିଧି): ସ୍ପେନ୍‌ର ଭିକ୍ଟୋରିଆଠାରେ ଚାଲିଥିବା ସ୍ପାନିଶ ପାରା ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ର ସିଙ୍ଗଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି ଓଡ଼ିଶାର ପ୍ରମୋଦ ଭଗତ। ଶୁକ୍ରବାର ଅନୁଷ୍ଠିତ ସଂଘର୍ଷପୂର୍ଣ୍ଣ କ୍ୱାର୍ଟର ଫାଇନାଲରେ ସେ ଥାଇଲାଣ୍ଡର ମୋଙ୍ଗଖୋନ ବୁନସୁନଙ୍କୁ ୧୬-୨୧, ୨୧-୧୨, ୨୧-୧୮ରେ ପରାସ୍ତ କରିଛନ୍ତି। ସେମିଫାଇନାଲରେ ସେ ଜାପାନର ଦାଇସୁକେ ଫୁଜିହାରାଙ୍କୁ ଭେଟିବେ। ପୂର୍ବରୁ ଅନୁଷ୍ଠିତ ପ୍ରି-କ୍ୱାର୍ଟର ଫାଇନାଲରେ ସେ ୟୁକ୍ରେନର ଓଲେକଜାଣ୍ଡର ଚିର୍କୋଭଙ୍କୁ ୧୧-୨୧, ୨୧-୧୭, ୨୧-୧୨ ପଏଣ୍ଟରେ ପରାସ୍ତ କରିଥିଲେ। ପ୍ରଥମ ସେଟ୍‌ରେ ପରାଜିତ ହୋଇଥିଲେ ହେଁ ପ୍ରମୋଦ ସଫଳ ପ୍ରତ୍ୟାବର୍ତ୍ତନ କରି ପରବର୍ତ୍ତୀ ୨ ସେଟ୍‌ ଜିତିଥିଲେ। ଅନ୍ୟପକ୍ଷରେ ପ୍ରମୋଦ ଓ
ମନୀଷା ରାମଦାସ ମିକ୍ସଡ ଡବଲ୍ସ ଯୋଡି ପ୍ରି-କ୍ୱାଟରରେ ଇଣ୍ଡୋନେସିଆର ଫ୍ରେଡି ସେତିଓ୍ବାନ ଓ ଖାଲିମାଟୁସ ସାଦିୟାଙ୍କଠାରୁ ୨୧-୧୫, ୧୮-୨୧, ୧୮-୨୧ରେ ହାରି ଯାଇଛନ୍ତି। ପ୍ରେତିଯୋଗିତାରେ ଭାଗ ନେଇଥିବା ଅନ୍ୟତମ ଓଡ଼ିଶା ଖେଳାଳି ଦୀପ ରଞ୍ଜନ ବିଶୋଇ ଡବଲ୍ସରେ ମନୋଜ ସରକାରଙ୍କୁ ସାଥିକରି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଏହି ଯୋଡ଼ି ଫ୍ରାନ୍ସର ଗୁଇଲାଉମେ ଗାଇଲି ଓ ଚିର୍କୋଭ ଓଲେକଜାଣ୍ଡର ଯୋଡ଼ିଙ୍କୁ ୨୧-୧୨, ୨୧-୯ରେ ପରାସ୍ତ କରିଛନ୍ତି। କ୍ୱାର୍ଟର ଫାଇନାଲରେ ଦୀପ ରଞ୍ଜନ-ମନୋଜ ଯୋଡ଼ି ନିଜ ଦେଶର ପ୍ରମୋଦ ଭଗତ ଓ ସୁକାନ୍ତ କଦମ ଯୋଡ଼ିଙ୍କୁ ଭେଟିବେ।
ସେହିପରି ଶୁଭ୍ରଜିତ ମହାରଣା ଓ ମହମ୍ମଦ ଅର୍ବାଜ ଅନସାରୀ ଡବଲ୍ସ ଯୋଡି ପ୍ରି-କ୍ୱାଟର୍ର୍‌ରେ ମେକ୍ସିକୋର ଆନ୍ତୋନୀ ଆଲଭାରାଡୋ ଓ ଆଞ୍ଜେଲ ଗାବ୍ରିଏଲଙ୍କୁ ୨୧-୧୪, ୨୧-୧୬ରେ ପରାସ୍ତ କରିଛନ୍ତି। ବିଜୟୀ ଯୋଡ଼ି କ୍ୱାର୍ଟରରେ ନିଜ ଦେଶର ବିକ୍ରମ କୁମାର ଓ ସୁହାସ୍‌ ୟତିରାଜ୍‌ ଯୋଡ଼ିଙ୍କୁ ଭେଟିବେ। ଦିଲେଶ୍ୱର୍‌ ରାଓ
ସିଙ୍ଗଲ୍ସ ଓ ଡବଲ୍ସରେ ହାରିଯାଇ ଟୁର୍ନାମେଣ୍ଟରୁ ବାଦ୍‌ ପଡ଼ିଛନ୍ତି।

Share