Categories: Uncategorized

ଜଙ୍ଗଲରେ ବିତୁଛି ପ୍ରମିଳାଙ୍କ ଜୀବନ

ପିପିଲି,୬।୫(ଡି.ଏନ.ଏ.): ପିପିଲି ବ୍ଲକ ଅଞ୍ଚଳରେ ଜଣେ ବୃଦ୍ଧା ପ୍ରାୟ ୨୦ବର୍ଷରୁ ଅଧିକ ସମୟ ହେବ ଜଙ୍ଗଲ ଭିତରେ ଦୁର୍ବିସହ ଜୀବନଯାପନ କାଟୁଛନ୍ତି। ସେ ହେଉଛନ୍ତି ପ୍ରମିଳା ସ୍ବାଇଁ, ବୟସ ୭୦ ଛୁଇଁଲାଣି, ଚନ୍ଦ୍ରଦେଇପୁର ପଞ୍ଚାୟତ ୧୪ ନମ୍ବର ୱାର୍ଡରେ ଚାଳ ଘରଟିଏ। ପରିବାର କହିଲେ କେହି ନାହାନ୍ତି। ୨୦ବର୍ଷ ହେବ ଗାଁ ପଛପଟ ଜଙ୍ଗଲ ଭିତରେ ଝାଟିମାଟି କୁଡ଼ିଆ ଘରେ ରହି ଆସୁଥିଲେ। ହେଲେ ଗତ ଫନୀ ବାତ୍ୟାରେ ସେତକ ବି ଚାଲିଗଲା, ଘର ଭାଙ୍ଗି ମାଟିରେ ମିଶିଗଲା। ସେବେଠାରୁ ଏକ ପଲିଥିନ ଜରିଆରେ ୪ବର୍ଷ ହେବ ବିପଦସଙ୍କୁଳ ଅବସ୍ଥାରେ ଜୀବନ ବିତାଉଛନ୍ତି। କେତେବେଳେ ରାତିରେ ବିଛଣାରେ ସାପ ଆସି ଯାଉଛି ତ କେତେବେଳେ କୁକୁର ଆସି ହାଣ୍ଡିରୁ ଭାତ ଖାଇ ଦେଉଛି, ଓଳିଏ ଖାଇଲେ ଓଳିଏ ଉପାସ ରହିବାକୁ ପଡ଼ୁଛି। ବଞ୍ଚିବା ପାଇଁ ପ୍ରମିଳା ସଙ୍ଘର୍ଷ କରି ଆସୁଥିଲେ ମଧ୍ୟ କାହାର ନଜର ପଡ଼ୁନି ତାଙ୍କ ଉପରେ। ଫନୀ ପରେ ସହାୟତା ପାଇଁ ୩ଥର ତଦନ୍ତ ହୋଇଥିବାବେଳେ ଥ୍ରି ମ୍ୟାନ କମିଟି ମଧ୍ୟ ପ୍ରମିଳାଙ୍କ ବାସ୍ତବ ସ୍ଥିତିକୁ ଦେଖିଛନ୍ତି। ହେଲେ ବ୍ଲକ ପ୍ରଶାସନର ଅପାରଗତ ଯୋଗୁ ପ୍ରମିଳାଙ୍କୁ ଏପର୍ଯ୍ୟନ୍ତ ଆବାସଘର କି କୌଣସି ପ୍ରକାର ସହାୟତା ମିଳିପାରି ନାହିଁ। ଏପରିକି ବାରମ୍ବାର ନିର୍ବାଚିତ ଜନପ୍ରତିନିଧିଙ୍କୁ ଆବାସ ଖଣ୍ଡିଏ ପାଇଁ ପ୍ରମିଳା ଗୁହାରି କରିବା ସହ ଆବାସ ଯୋଜନା ପାଇଁ ଫର୍ମ ମଧ୍ୟ ପଞ୍ଚାୟତରେ ଦାଖଲ କରିଛନ୍ତି। ତାଙ୍କ ପାଇଁ ଆବାସ ଯୋଜନା ଯେପରି ସାତସପନ ପାଲଟି ଯାଇଛି। ସବୁଠୁ ନିରାଶ ହେବା ପରେ ଏବେ ଶେଷରେ ବୟସର ଅପରାହ୍ନରେ ଭାଗ୍ୟକୁ ଆଦରି ସେଇ ଜଙ୍ଗଲ ଭିତରେ ଅନ୍ଧକାରମୟ ଜୀବନ ବିତାଉଥିବା କହିଛନ୍ତି ପ୍ରମିଳା। ସେପଟେ ତାଙ୍କୁ ଏଭଳି ଦୟନୀୟ ଅବସ୍ଥାରେ ଦେଖି ୱାର୍ଡ ସଭ୍ୟ ପ୍ରଭାତୀ ସାହୁ ସହାୟତା ପାଇଁ ଆଗକୁ ଆସିଛନ୍ତି। ପ୍ରଶାସନିକ ତ୍ରୁଟି ଯୋଗୁ ପ୍ରମିଳା ଆବାସ ଯୋଜନାରୁ ଦୀର୍ଘଦିନ ହେବ ବଞ୍ଚିତ ଅଛନ୍ତି, ତେଣୁ ଯଥାଶୀଘ୍ର ବ୍ଲକ ପ୍ରଶାସନ ତଦନ୍ତ କରି ତାଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରିବାକୁ ୱାର୍ଡ ସଭ୍ୟା ସାହୁ ଦାବି କରିଛନ୍ତି।