ଫସିଲେ Prakash Raj, ଭିଡିଓ ଭାଇରାଲ ପରେ ମାମଲା ରୁଜୁ

ହାଇଦ୍ରାବାଦ,୨୧।୪: ପୁଣି ଥରେ ବିବାଦରେ ପ୍ରକାଶ ରାଜ (Prakash Raj) । ନିଜର ସ୍ପଷ୍ଟବାଦୀ ମନ୍ତବ୍ୟ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ଏହି ଦକ୍ଷିଣ ଭାରତୀୟ ଅଭିନେତାଙ୍କ ବିରୋଧରେ ଏବେ ଧାର୍ମିକ ଭାବନାକୁ ଆଘାତ ଦେଇଥିବା ଅଭିଯୋଗରେ ମାମଲା ରୁଜୁ ହୋଇଛି।

ପ୍ରକାଶ ରାଜ ପୁଣି ଏକ ନୂଆ ବିବାଦରେ ଛନ୍ଦି ହୋଇଛନ୍ତି। ନିକଟରେ ମା’ଙ୍କ ପରଲୋକ ପାଇଁ ସେ ଶୋକରେ ଥିବାବେଳେ ଏବେ ତାଙ୍କର ଏକ ପୁରୁଣା ମନ୍ତବ୍ୟକୁ ନେଇ ହଙ୍ଗାମା ଆରମ୍ଭ ହୋଇଛି। ରାମାୟଣ ସମ୍ପର୍କରେ ତାଙ୍କର କିଛି ଟିପ୍ପଣୀକୁ ନେଇ ଭାଜପା ନେତା ଭାନୁ ପ୍ରକାଶ ପୋଲିସ ନିକଟରେ ଏକ ଆନୁଷ୍ଠାନିକ ଅଭିଯୋଗ କରିଛନ୍ତି।

ଏହି ବିବାଦ ଜାନୁଆରୀ ମାସରେ ଆୟୋଜିତ ’କେରଳ ଲିଟରେଚର ଫେଷ୍ଟିଭାଲ’ରୁ ଆରମ୍ଭ ହୋଇଥିଲା। ସେଠାରେ ଏକ ଆଲୋଚନା ଚକ୍ରରେ ପ୍ରକାଶ ରାଜ ପିଲାମାନଙ୍କର ଏକ ଥିଏଟର କର୍ମଶାଳାର ଉଦାହରଣ ଦେଇ ରାମାୟଣର ଏକ ଭିନ୍ନ କାହାଣୀ ଶୁଣାଇଥିଲେ।

ସେ କହିଥିଲେ ଯେ, ଏହି ନାଟକରେ ଶୂର୍ପଣଖା ରାମ ଏବଂ ଲକ୍ଷ୍ମଣଙ୍କୁ ଫଳ ବିଷୟରେ ପଚାରୁଛନ୍ତି। କିନ୍ତୁ ସେମାନେ ଭୋକିଲା ଥିବା ଦେଖି ରାବଣ ସେମାନଙ୍କୁ ଫଳ ଖାଇବାକୁ ଅନୁମତି ଦେଉଛନ୍ତି। ପ୍ରକାଶ ରାଜ ଏଥିରେ ଏକ ହାସ୍ୟରସ ଯୋଡ଼ି କହିଥିଲେ ଯେ, ଯେତେବେଳେ ରାମ ଫଳର ମୂଲ୍ୟ ଦେବାକୁ ଚାହୁଁଛନ୍ତି, ସେତେବେଳେ ତାଙ୍କୁ ଫଳର ଅଧିକ ଦାମ ଏବଂ GST ମଧ୍ୟ ମଗାଯାଉଛି। ଟଙ୍କା ନ ଥିବାରୁ ରାବଣ ସେମାନଙ୍କୁ ନିଜେ ଗଛ ଲଗାଇବାକୁ ପରାମର୍ଶ ଦେଉଛନ୍ତି। ଏହି ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ହିନ୍ଦୁ ସଂଗଠନ ଏବଂ ଭାଜପା ନେତାମାନେ ଏହାକୁ ରାମାୟଣର ଅପମାନ ବୋଲି ଦର୍ଶାଇଛନ୍ତି।

ଭାଜପା ନେତା ଭାନୁ ପ୍ରକାଶ ନିଜ ଅଭିଯୋଗରେ କହିଛନ୍ତି ଯେ, ପ୍ରକାଶ ରାଜ ’ଭୁଲ ଏବଂ ଅପମାନଜନକ ମନ୍ତବ୍ୟ’ ଦେଇଛନ୍ତି, ଯାହା ଫଳରେ କୋଟି କୋଟି ହିନ୍ଦୁଙ୍କ ଭାବନାକୁ ଆଘାତ ଲାଗିଛି। ସେ କେବଳ ଅଭିନେତାଙ୍କ ବିରୋଧରେ ନୁହେଁ, ବରଂ ଏଭଳି ମନ୍ତବ୍ୟକୁ ପ୍ରୋତ୍ସାହନ ଦେଉଥିବା ଲୋକଙ୍କ ବିରୋଧରେ ମଧ୍ୟ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ତେବେ ଏହା ପ୍ରଥମ ଥର ନୁହେଁ, ପୂର୍ବରୁ ମଧ୍ୟ ଅନେକ ଥର ପ୍ରକାଶ ରାଜ କେନ୍ଦ୍ର ସରକାର ଏବଂ ବିଭିନ୍ନ ଧାର୍ମିକ ପ୍ରସଙ୍ଗରେ ମନ୍ତବ୍ୟ ଦେଇ ଟ୍ରୋଲ ହୋଇଛନ୍ତି। ଚନ୍ଦ୍ରଯାନ-୩ ମିଶନ ସମୟରେ ମଧ୍ୟ ତାଙ୍କର ଏକ ପୋଷ୍ଟକୁ ନେଇ ବହୁତ ବିବାଦ ଦେଖାଦେଇଥିଲା। ଏବେ ଏହି ନୂଆ ବିବାଦକୁ ନେଇ ପ୍ରକାଶ ରାଜ କି ପ୍ରତିକ୍ରିୟା ରଖୁଛନ୍ତି ତାହା ଦେଖିବାକୁ ବାକି ରହିଲା।

Dharitri – Odisha’s No.1 Odia Daily

Share