ପ୍ରକାଶ ପଟ୍ଟନାୟକ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ‘ବରିଷ୍ଠ ପ୍ରଫେସର’ ମନୋନୀତ

ଭୁବନେଶ୍ୱର, ୧୨।୨(ବ୍ୟୁରୋ): ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଆଧୁନିକ ଭାରତୀୟ ଭାଷା ଓ ସାହିତ୍ୟ ଅଧ୍ୟୟନ ବିଭାଗର ପ୍ରଫେସର ଡ. ପ୍ରକାଶ ଚନ୍ଦ୍ର ପଟ୍ଟନାୟକ ୟୁଜିସିର କ୍ୟାରିୟର ଆଡ୍‌ଭାନ୍ସମେଣ୍ଟ ସ୍କିମ୍‌-୨୦୧୮ ଅନୁସାରେ ‘ବରିଷ୍ଠ ପ୍ରଫେସର’ ରୂପେ ମନୋନୀତ ହୋଇଛନ୍ତି। ଏହି ସମ୍ମାନଜନକ ପଦବୀ ପାଇବାରେ ସେ ପ୍ରଥମ ଓଡ଼ିଆ ପ୍ରଫେସର। ଏ ନେଇ ବିଶ୍ୱବିଦ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
ପ୍ରଫେସର ପଟ୍ଟନାୟକ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଓଡ଼ିଆରେ ସ୍ନାତକୋତ୍ତର ଶିକ୍ଷାଲାଭ କରିବା ପରେ ୧୯୮୭ରେ ପ୍ରଥମେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ ଭାବେ ଯୋଗଦେଇଥିଲେ। ୧୯୯୨ରେ ବରିଷ୍ଠ ଅଧ୍ୟାପକ ଓ ୧୯୯୮ରେ ପ୍ରାଧ୍ୟାପକ ହେବା ପରେ ୨୦୦୬ରେ ପ୍ରଫେସର ହୋଇଥିଲେ। ସେହିଦିନଠାରୁ ଦୀର୍ଘ ୧୬ବର୍ଷ ଧରି ସେ ଉକ୍ତ ବିଭାଗର ପ୍ରଫେସର ରହିଛନ୍ତି ଓ ବିଭାଗୀୟ ମୁଖ୍ୟ ଭାବେ ମଧ୍ୟ ଦାୟିତ୍ୱ ନିର୍ବାହ କରିଛନ୍ତି। ୟୁଜିସିର ୨୦୧୮ ନିର୍ଦ୍ଧାରଣ ଅନୁଯାୟୀ, ପ୍ରକାଶ ପଟ୍ଟନାୟକଙ୍କ ଅବସର ପରେ ସେହି ପଦବୀ(ବରିଷ୍ଠ ପ୍ରଫେସର)ପୂରଣ କରା ନ ଯାଇ ଖାଲି ରହିବ। ୟୁଜିସିର ଏହି ନିର୍ଦ୍ଧାରଣକୁ ଅନ୍ୟ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଏଯାଏ କାର୍ଯ୍ୟକାରୀ କରାଯାଇ ନ ଥିବାବେଳେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ପ୍ରଥମ କରି ଏହାକୁ କାର୍ଯ୍ୟକାରୀ କରି ପ୍ରଫେସର ପଟ୍ଟନାୟକଙ୍କ ସମେତ ଅନ୍ୟ କେତେଜଣଙ୍କୁ ନିଜ ନିଜ ବିଭାଗର ଦାୟିତ୍ୱ, କୃତିତ୍ୱ ଓ ବରିଷ୍ଠତା ଭିତ୍ତିରେ ଏହି ସମ୍ମାନଜନକ ପଦୋନ୍ନତି ଓ ପଦବୀ ପ୍ରଦାନ କରିଛି।
ଏଠାରେ ଉଲ୍ଲେଖଯୋଗ୍ୟ, କେନ୍ଦ୍ର ସଂସ୍କୃତି ବିଭାଗ ଓ ସାହିତ୍ୟ ଏକାଡେମୀର ନିମନ୍ତ୍ରଣକ୍ରମେ ପ୍ରଫେସର ପଟ୍ଟନାୟକ ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନର ଚୂଡ଼ାନ୍ତ ବୈଠକରେ ଭାଷା ବିଶେଷଜ୍ଞ ଭାବରେ ଯୋଗଦେଇଥିଲେ। ଓଡ଼ିଆ ଭାଷାର ଶାସ୍ତ୍ରୀୟ ମାନ୍ୟତା କ୍ଷେତ୍ରରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ।