ଭବାନୀପାଟଣା,୫ା୫ (ଉତ୍ତମ କୁମାର ଦାଶ):ମାଟ୍ରିକ ପରୀକ୍ଷାରେ ଅଧିକ ସଂଖ୍ୟକ ଏ- ୱାନ ଗ୍ରେଡ୍ ହାସଲ ନିମନ୍ତେ କଳାହାଣ୍ଡି ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଦଶମ ଶ୍ରେଣୀ ଛାତ୍ରୀଛାତ୍ରଙ୍କୁ ନେଇ ଗତବର୍ଷ ଏକ ଅଭିନଭ କାର୍ଯ୍ୟକ୍ରମ ‘ପ୍ରକାଶ’ ଆରମ୍ଭ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ଛାତ୍ରୀଛାତ୍ର ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ରେକର୍ଡ ସଂଖ୍ୟାରେ ଏ-୧ ଗ୍ରେଡ ରଖି ଜିଲା ପାଇଁ ଗୌରବ ଆଣିଛନ୍ତି। ସୂଚନାଯୋଗ୍ୟ ଯେ, ଏହି କାର୍ଯ୍ୟକ୍ରମ ପାଇଁ ଗତ ଜୁଲାଇରେ ସମସ୍ତ ପ୍ରଧାନଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ନେଇ ଏକ ଯୋଜନା ପ୍ରସ୍ତୁତ କରାଯାଇଥିଲା। ପ୍ରଥମେ ଜିଲାର ୧୩ ବ୍ଲକର ଦଶମ ଶ୍ରେଣୀ ଛାତ୍ରୀଛାତ୍ରଙ୍କୁ ନେଇ ଏକ ପରୀକ୍ଷା ଆୟୋଜିତ ହୋଇଥିଲା। ଏଥିରେ ଚିହ୍ନଟ ହୋଇଥିବା ଛାତ୍ରୀଛାତ୍ରଙ୍କୁ ନେଇ ଗୋଷ୍ଠୀ ଶିକ୍ଷା ଅଧିକାରୀ ଓ ପ୍ରଧାନଶିକ୍ଷକଙ୍କ ଦ୍ୱାରା ବ୍ଲକ ସ୍ତରରେ ଦୁଇଦିନିଆ ସ୍ବତନ୍ତ୍ର ମାର୍ଗଦର୍ଶନ ଶିବିର ଆୟୋଜନ କରାଯାଇଥିଲା। ଜିଲା ସ୍ତରରେ ୨ଟି ପର୍ଯ୍ୟାୟରେ ୪ ଦିନିଆ ସ୍ବତନ୍ତ୍ର ଆବାସିକ ମାର୍ଗଦର୍ଶନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ଜିଲାର ବିଭିନ୍ନ ବିଦ୍ୟାଳୟରୁ ୧୨୭ ଛାତ୍ରୀଛାତ୍ର ଯୋଗଦାନ କରିଥିଲେ। ଜିଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରିଙ୍କ ନେତୃତ୍ୱରେ ଓ ଅତିରିକ୍ତ ଜିଲା ଶିକ୍ଷା ଅଧିକାରୀ ହେମସାଗର ମହାନନ୍ଦଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ୩୬ ଜଣ ଜିଲା ସାଧନ ଶିକ୍ଷକ-ଶିକ୍ଷୟିତ୍ରୀ ଛାତ୍ରୀଛାତ୍ରଙ୍କୁ ଉତ୍ତମ ମାର୍ଗଦର୍ଶନ କରିଥିଲେ। ପ୍ରକାଶ ଶିବିର ପରେ ମଧ୍ୟ ମାସିକ ପରୀକ୍ଷା, ଦୈନିକ ଅନ୍ଲାଇନ କ୍ଲାସ ମାଧ୍ୟମରେ ସନ୍ଦେହ ମୋଚନ କରାଯାଉଥିଲା। ଫଳସ୍ବରୂପ ଚଳିତ ବର୍ଷ ଜିଲାର ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ରେକର୍ଡ ସଫଳତା ମିଳିଛି। ଜିଲାରେ ୧୧୮ ଜଣ ଏ-ୱାନ ଗ୍ରେଡ୍ରେ କୃତକାର୍ଯ୍ୟ ହୋଇଛନ୍ତି। ଗତବର୍ଷ ମାତ୍ର ୧୯ ଛାତ୍ରୀଛାତ୍ର ଏ-ୱାନ ଗ୍ରେଡ୍ ପାଇଥିଲେ। ସେହିପରି ଚଳିତବର୍ଷ ୧୨୭୬ ଜଣ ଏ-୨, ୩୬୧୬ ଜଣ ବି-୧, ୫୦୭୭ ଜଣ ବି-୨ ଗ୍ରେଡ୍ରେ ସଫଳତା ପାଇବା ସହ ୧୫୬ ବିଦ୍ୟାଳୟରେ ଶତ ପ୍ରତିଶତ ପାସ୍ ହାର ରହିଥିଲା। ଏହାସହ ଜିଲାର ପାସ୍ ହାର ୯୭.୮୬% ରହିଛି। ସେହିପରି କଳାହାଣ୍ଡି ଜିଲା ପାସ୍ ହାରରେ ରାଜ୍ୟରେ ସପ୍ତମ ସ୍ଥାନରେ ରହିଛି। ଭବାନୀପାଟଣା ବ୍ଲକ ଗଣନାଥପୁର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଛାତ୍ରୀ ସ୍ବାତୀ ମହାକୁଡ଼ ୫୭୭ ମାର୍କ ରଖି ଜିଲା ଟପ୍ପର ହୋଇଛନ୍ତି। ଅତିରିକ୍ତ ଜିଲା ଶିକ୍ଷା ଅଧିକାରୀ ଶୁଭଲକ୍ଷ୍ମୀ ନାୟକ, ତପିମଣି ଜାନି, ସମସ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ, ପ୍ରଧାନଶିକ୍ଷକ ଶିକ୍ଷୟିତ୍ରୀ ଓ ବିଷୟ ଶିକ୍ଷକ ଶିକ୍ଷୟିତ୍ରୀ, ପିତାମାତା ଓ ଅଭିଭାବକଙ୍କ ମିଳିତ ପ୍ରୟାସ ମାଧ୍ୟମରେ ପ୍ରକାଶ କାର୍ଯ୍ୟକ୍ରମ ଏକ ଦୃଷ୍ଟାନ୍ତମୂଳକ ସଫଳତା ଆଣିଦେଇଛି। ଜିଲାପାଳ ପାୱାର ସଚିନ ପ୍ରକାଶ ସମସ୍ତ ଛାତ୍ରୀଛାତ୍ର, ପିତାମାତା ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।