ଅଳିଆ ଗୋଟାଳିଙ୍କୁ ପ୍ରଶଂସାର ସୁଅ

କେନ୍ଦ୍ରାପଡ଼ା ଅଫିସ, ୨୭ା୨:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୯୮ତମ ମନ୍‌ କି ବାତ୍‌ କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବର୍ଜ୍ୟବସ୍ତୁରୁ ସମ୍ପଦ ସହ ସ୍ବଚ୍ଛତା ଅଭିଯାନ ସମ୍ପର୍କରେ ଆଲୋଚନା ସମୟରେ କେନ୍ଦ୍ରାପଡ଼ା ବ୍ଲକ ଗୁଲନଗର ପଞ୍ଚାୟତ ଖଇରାବାଦ ଗ୍ରାମର କମଳା ମହାରଣାଙ୍କୁ ମୋଦି ଉଦାହରଣ ଭାବେ ଦେଖାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସା ପରେ ସ୍ଥାନୀୟ ଅଞ୍ଚଳରେ ଅଳିଆ ଗୋଟାଳି କମଳାଙ୍କ ନିକଟକୁ ଭାଜପାର ବରିଷ୍ଠ ନେତା ଭୁବନମୋହନ ଜେନା, ଦିଲୀପ ଦାଶ, ଦୁର୍ଯ୍ୟୋଧନ ସାହୁ ଓ ଅନ୍ୟ ବହୁ ସାମାଜିକ କର୍ମୀଙ୍କ ଶୁଭେଚ୍ଛାର ସୁଅ ଛୁଟିଛି। ବର୍ଜ୍ୟବସ୍ତୁରୁ ସାମଗ୍ରୀ ପ୍ରସ୍ତୁତ କରି କମଳାଙ୍କ ସଭାପତିତ୍ୱରେ ଥିବା ମା’ ଥାନପତି ସ୍ବୟଂ ସହାୟିକା ଗୋଷ୍ଠୀର ସଦସ୍ୟାମାନେ ମାସିକ ଅନୂ୍ୟନ ୬ ହଜାର ଟଙ୍କା ରୋଜଗାର କରୁଛନ୍ତି। ଏହି ଏସ୍‌ଏଚ୍‌ଜି ଗ୍ରୁପ୍‌ରେ ୨୮ରୁ ୬୩ ବର୍ଷୀୟା ୪୦ ଜଣ ମହିଳା ଥିବା ସୂଚନା ମିଳିଛି।
ଏ ସମ୍ପର୍କରେ ସଦସ୍ୟା ସୁମିତ୍ରା ମହାରଣା କହିଛନ୍ତି, ଏସ୍‌ଏସ୍‌ଜି ଗୋଷ୍ଠୀର ସଭାପତି କମଳାଙ୍କ ଆଦର୍ଶ ଆମକୁ ରୋଜଗାର ଦେଇଛି। ଏବେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ପରେ ଆମକୁ ଶୁଭେଚ୍ଛା ସହ ସମ୍ମାନ ମିଳୁଛି। ତାଳପତ୍ର, କାଗଜ, ପ୍ଲାଷ୍ଟିକ ରଶି ଆଦି ସହଜ ଓ ସରଳ ଉପଲବ୍ଧ ସାମଗ୍ରୀର ଉପଯୋଗରେ ଘରୋଇ ସାମଗ୍ରୀ ପ୍ରସ୍ତୁତ କରିବା କମଳାଙ୍କ ଅଭ୍ୟାସ। ଏହି ଅଭ୍ୟାସ ଏବେ ରୋଜଗାର ଓ ମାନସମ୍ମାନ ଦେଉଛି। ପୂର୍ବରୁ ବର୍ଜ୍ୟ ସାମଗ୍ରୀ ସଂଗ୍ରହ ସମୟରେ କମଳାଙ୍କୁ ଅଳିଆ ଗୋଟେଇ ବୋଲି ସ୍ଥାନୀୟ ଅଞ୍ଚଳରେ ସମାଲୋଚନା ହେଉଥିଲା। ତେବେ ସେହି ସାମଗ୍ରୀକୁ ବିନିଯୋଗ କରି ରୋଜଗାର ପରେ ଗ୍ରାମଲୋକଙ୍କ ନଜର ବଦଳି ଯାଇଛି। ୨୦୧୬ରେ ଏସ୍‌ଏଚ୍‌ଜି ନିର୍ମାଣ କରି ତାଙ୍କର ଏହି ଅଭିଯାନକୁ ଆଗକୁ ନିଆଯାଇଛି। କମଳା କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା ଆମକୁ ଅଧିକ କାର୍ଯ୍ୟ କରିବାକୁ ପ୍ରେରଣା ଯୋଗାଇଛି। ତାଙ୍କର ୫ ଝିଅ ଓ ଗୋଟିଏ ପୁଅ। ପୁଅ କାଠ ମିସ୍ତ୍ରି କାମ କରନ୍ତି। ଅବସର ସମୟରେ ଘରୋଇ ସାମଗ୍ରୀ ପ୍ରସ୍ତୁତ ପାଇଁ ଆଖପାଖରୁ ପ୍ଲାଷ୍ଟିକ କ୍ଷୀର ପ୍ୟାକେଟ, ଗୁଟ୍‌ଖା ଜରି, ସିଗାରେଟ ପ୍ୟାକେଟ ଖୋଳ ଆଦି ବର୍ଜ୍ୟବସ୍ତୁ ସଂଗ୍ରହ କରୁଛନ୍ତି। ଏଥିରେ ହାତପଙ୍ଖା, ମୋବାଇଲ ଷ୍ଟାଣ୍ଡ, କଲମ ଷ୍ଟାଣ୍ଡ, ପେଡି, ଫୁଲଦାନୀ ଆଦି ପ୍ରସ୍ତୁତ କରାଯାଇ ବଜାରରେ ବିକ୍ରି ଆରମ୍ଭ ହେଲା। ଏହାର ଚାହିଦା ବଢ଼ିବା ପରେ ସ୍ଥାନୀୟ ଅଞ୍ଚଳର ମହିଳାମାନଙ୍କ ସହଯୋଗରେ ଏହାକୁ ବ୍ୟାପକ କରାଯାଇଛି। କମଳାଙ୍କ ସମ୍ପର୍କରେ ଉପଜିଲାପାଳ ନିରଞ୍ଜନ ବେହେରାଙ୍କୁ ପଚାରିବାରେ ତାଙ୍କର ଉଦ୍ୟମ ଯୋଗୁ ଆମ ଜିଲା ପାଇଁ ଗର୍ବ କରିବା ସମୟ ଆସିଛି। ପ୍ରତିଦିନ ଆମେ ବହୁ ସାମଗ୍ରୀକୁ ବ୍ୟବହାର ପରେ ପ୍ଲାଷ୍ଟିକ ପରି ପଦାର୍ଥକୁ ବର୍ଜ୍ୟ କରୁଛୁ। ଏହାକୁ ରୋଜଗାରର ମାଧ୍ୟମ କରିବା ଏକ ବଡ଼ କଥା। ଏହାଦ୍ୱାରା ସ୍ବଚ୍ଛତା ଅଭିଯାନ ସହ ରୋଜଗାର ମିଳୁଛି। ବର୍ଜ୍ୟବସ୍ତୁରୁ ଖତ ପ୍ରସ୍ତୁତ କରାଯାଇ ଏବେ ପୌରସଂସ୍ଥା ପକ୍ଷରୁ ବିକ୍ରି କରାଯାଉଛି। କମଳାଙ୍କ ପରି ମହିଳାମାନେ ଏ ଦିଗରେ ଆଗକୁ ଆସିଲେ ସ୍ବଚ୍ଛ ଭାରତ ଅଭିଯାନ ଅଗ୍ରଗତି କରିବ। ସ୍ବୟଂ ସହାୟିକା ଗୋଷ୍ଠୀ ପକ୍ଷରୁ ପ୍ରସ୍ତୁତ ସମସ୍ତ ସାମଗ୍ରୀର ବିକ୍ରି ପାଇଁ ଜିଲା ପ୍ରଶାସନ ସର୍ବଦା ଉଦ୍ୟମ କରିଆସୁଛି। ମେଳାରେ ଏହାର ବହୁଳ ବିକ୍ରି ହେଉଥିବା ବେଳେ ଜିଲାର ବିଭିନ୍ନ ସାମଗ୍ରୀକୁ ଅନ୍‌ଲାଇନ ମାଧ୍ୟମରେ ବିକ୍ରି ପାଇଁ ସୁଯୋଗ ଦିଆଯାଉଛି। ଏ ଦିଗରେ ମିଶନ ଶକ୍ତି, ଓର୍‌ମାସ ଆଦି କାର୍ଯ୍ୟ କରୁଛି ବୋଲି ସେ କହିଛନ୍ତି।