Categories: ଜାତୀୟ

ଜୁନ ୩୦ରେ ପ୍ରହାର ପାର୍ଟିର ୨ବିଧାୟକ ଏମ୍‌ଭିଏ ବିରୋଧରେ ଆଣିପାରନ୍ତି ଅନାସ୍ଥା ପ୍ରସ୍ତାବ

ମୁମ୍ବାଇ,୨୮।୬: ଗତ କିଛି ଦିନ ହେବ ମହାରାଷ୍ଟ୍ରରେ ରାଜନୈତିକ ସଙ୍କଟ ଜାରି ରହିଛି। ବର୍ତ୍ତମାନ ଏହା ଆଉ ଏକ ରାଜନୈତିକ ମୋଡ଼ ନେବାକୁ ଯାଉଛି। ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଜୁନ ୩୦ରେ ପ୍ରହାର ପାର୍ଟିର ୨ ଜଣ ବିଧାୟକ ମହା ବିକାଶ ଅଘାଡ଼ି(ଏମ୍‌ଭିଏ) ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିପାରନ୍ତି। ଆଗାମୀ ଦୁଇ ଦିନ ମହାରାଷ୍ଟ୍ର ରାଜନୀତି ପାଇଁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏସମ୍ପର୍କରେ ରାଜଭବନରୁ ସମୟ ନେବାକୁ ପ୍ରହାର ପାର୍ଟି ପ୍ରସ୍ତୁତି ଚଳାଇଛି। ବର୍ତ୍ତମାନ ଉଭୟ ବିଧାୟକ ସିନ୍ଧେ ଦଳ ସହ ଗୁଆହାଟିରେ ଅଛନ୍ତି। ଏଥିସହ ସୂତ୍ରରୁ ପ୍ରକାଶ ଯେ, ଭାଜପା ଏବଂ ଶିବସେନାର ବିଦ୍ରୋହୀ ବିଧାୟକମାନେ ଏକନାଥ ସିନ୍ଧେଙ୍କ ନେତୃତ୍ୱରେ ମହାରାଷ୍ଟ୍ରରେ ପରବର୍ତ୍ତୀ ସରକାର ଗଠନ କରିପାରନ୍ତି। ଆଗାମୀ ସରକାର ଗଠନ ପାଇଁ ନେତାମାନେ ପୂର୍ବରୁ ସମସ୍ତ ବିଷୟରେ ଆଲୋଚନା କରିସାରିଛନ୍ତି। ଯଥା କ୍ୟାବିନେଟରେ ଭାଜପାର ୨୮ଜଣ ମନ୍ତ୍ରୀ ରହିବେ, ଯେଉଁଥିରେ ୨୬ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିବେ। ସେହିପରି କ୍ୟାବିନେଟରେ ସିନ୍ଧେ ଦଳର ୧୨ଜଣ ମନ୍ତ୍ରୀ ରହିବେ, ଯେଉଁଥିରେ ୧୦ ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିବେ। ଏତଦ୍‌ ବ୍ୟତୀତ ୬ଜଣ ବିଧାୟକଙ୍କ ପାଇଁ ଗୋଟିଏ ମନ୍ତ୍ରୀ ପଦବୀ ରହିବ ବୋଲି ସୂତ୍ରରୁ ସୂଚନା ମିଳିଛି। ଏଥିପାଇଁ ଦେବେନ୍ଦ୍ର ଫଡ୍‌ନାବିସ ମଙ୍ଗଳବାର ଦିଲ୍ଲୀରେ ପହଞ୍ଚିଛନ୍ତି। ସୂଚନାନୁସାରେ, ଭାଜପା ଏବଂ ଏକନାଥ ସିନ୍ଧେ ଏହି ନେତାମାନଙ୍କୁ ନିଜ କ୍ୟାବିନେଟରେ ନେବାକୁ ନିଷ୍ପତ୍ତି ନେଇଛନ୍ତି। ସିନ୍ଧେ ବିଦ୍ରୋହୀ ଦଳର ସମ୍ଭାବ୍ୟ ମନ୍ତ୍ରୀଙ୍କ ତାଲିକାରେ, ସମସ୍ତ ନିଲମ୍ବିତ ହୋଇଥିବା ୯ଜଣ ମନ୍ତ୍ରୀଙ୍କୁ ପୁନର୍ବାର ମନ୍ତ୍ରୀ କରାଯିବ ବୋଲି ଜଣାପଡ଼ିଛି।

Share