ପ୍ରଦୀପଙ୍କ ଦୁର୍ନୀତି ମାମଲା: ନିର୍ଦ୍ଦେଶ ଦେଲେ ଲୋକାୟୁକ୍ତ, ତଦନ୍ତ କରିବ ଭିଜିଲାନ୍ସ

ଭୁବନେଶ୍ୱର,୧୨।୧୨(ବ୍ୟୁରୋ): ଠକେଇ, ଜାଲିଆତି, ଆପରାଧିକ ଷଡ଼ଯନ୍ତ୍ର ଏବଂ ସାଇବର ଅପରାଧ ଅଭିଯୋଗରେ ଗିରଫ ହୋଇ ବିଚାର ବିଭାଗୀୟ ହାଜତରେ ଅଛନ୍ତି ବିଜେଡିରୁ ବହିଷ୍କୃତ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ତାଙ୍କର ସମସ୍ତ ଦୁର୍ନୀତି ମାମଲାର ତଦନ୍ତ କରିବ ଭିଜିଲାନ୍ସ। ଏ ସଂକ୍ରାନ୍ତରେ ଫେବୃୟାରୀ ୧୨ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ଶୁକ୍ରବାର ଭିଜିଲାନ୍ସ ନିର୍ଦ୍ଦେଶକଙ୍କୁ ଲୋକାୟୁକ୍ତ ନିର୍ଦ୍ଦେଶ ଦେଇଛନ୍ତି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁପାରିସକ୍ରମେ ଗତ ୭ ତାରିଖରୁ ପ୍ରଦୀପଙ୍କ ମାମଲାର ତଦନ୍ତ କରୁଛନ୍ତି ଲୋକାୟୁକ୍ତ। ଟାଟାରେ ଚାକିରି ଦେବା ନାଁରେ ପ୍ରଦୀପଙ୍କ ଭାବୀ ଜ୍ୱାଇଁ ତଥା ନିଲମ୍ବିତ ଆଇଏଫ୍‌ଏସ୍‌ ଅଫିସର ଅଭୟକାନ୍ତଙ୍କ ପୁଅ ଆକାଶ ପାଠକ ଶିକ୍ଷିତ ଯୁବତୀଯୁବକଙ୍କୁ ଠକେଇ କରିଥିବା ନେଇ ଟାଟା ପକ୍ଷରୁ କ୍ରାଇମବ୍ରାଞ୍ଚର ସାବଇବର ସେଲ୍‌ରେ ଅଭିଯୋଗ ପରେ ନଂ. ୨୬/୨୦ରେ ମାମଲା ରୁଜୁ ହୋଇଥିଲା। ତଦନ୍ତବେଳେ ବହୁ କୋଟି ଠକେଇ ହୋଇଥିବା ଜଣାପଡିଥିଲା। ଏହି ଘଟଣାରେ ଆକାଶଙ୍କ ଭାବୀ ଶଶୁର ପ୍ରଦୀପଙ୍କ ସମ୍ପୃକ୍ତି ରହିଥିବା କ୍ରାଇମବ୍ରାଞ୍ଚ ହାତରେ ପ୍ରମାଣ ଲାଗିବା ସହ ବିଭିନ୍ନ ଅଞ୍ଚଳରୁ ଠକେଇ ସମ୍ପର୍କିତ ଅଭିଯୋଗ ବଢ଼ିଥିଲା। ଏହାପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମେ ପ୍ରଦୀପଙ୍କୁ ଦଳରୁ ବହିଷ୍କାର କରିଥିଲେ। ପରେ କ୍ରାଇମବ୍ରାଞ୍ଚ ପ୍ରଦୀପଙ୍କୁ ତାଙ୍କ ସରକାରୀ ବାସଭବନରୁ ଗତ ୩ ତାରିଖ ସାରେ ଉଠାଇନେଇ ପଚରାଉଚରା କରିଥିଲା। ପ୍ରଦୀପ ଏକ ନିର୍ଦ୍ଦିଷ୍ଟ ଆକାଉଣ୍ଟରୁ ଆକାଶଙ୍କ ବ୍ୟାଙ୍କ ଆକାଉଣ୍ଟକୁ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ଟ୍ରାନ୍ସଫର କରିଥିବା ଜଣାପଡିଥିଲା। ଏ ନେଇ ପ୍ରଦୀପ ସନ୍ତୋଷଜନକ ଉତ୍ତର ଦେଇ ନ ପାରିବାରୁ ତାଙ୍କୁ ଗିରଫ କରାଯାଇଥିଲା। ତାଙ୍କ ବିରୋଧରେ ଦଫା ୪୧୯, ୪୨୦, ୪୬୭, ୪୬୮, ୪୬୯, ୪୭୧, ୧୨୦ ବି, ଆଇଟି ଆକ୍ଟ ୨୦୦୦ର ଦଫା ୬୬ସି ଓ ଡି ରେ ମାମଲା ରୁଜୁ କରିଥିଲା କ୍ରାଇମବ୍ରାଞ୍ଚ। ସେ ବର୍ତ୍ତମାନ ଝରପଡ଼ା ସ୍ବତନ୍ତ୍ର ଜେଲରେ ବିଚାର ବିଭାଗ ହାଜତରେ ରହିଛନ୍ତି। ଅନ୍ୟପକ୍ଷରେ ଦୁର୍ନୀତିର ପେଡ଼ି ଖୋଲିବା ପାଇଁ କ୍ରାଇମବ୍ରାଞ୍ଚ ପ୍ରବର୍ତ୍ତନ ନିର୍ଦ୍ଦେଶାଳାୟ(ଇଡି)କୁ ଚିଠି ଲେଖିଥିଲା। ଇଡି ଘଟଣାର ତଦନ୍ତ ପାଇଁ ସବୁ କାଗଜପତ୍ର ମଗାଇବା ସହ ପ୍ରଦୀପ ନାମରେ ଅଭଯୋଗ ଆଣିବା ସହ ଟଙ୍କା ଟ୍ରାନ୍ସଫର କରିଥିବା ଲୋକଙ୍କୁ ପଚରାଉଚରା କରୁଛି। ଏବେ ଇଡି ପ୍ରଦୀପଙ୍କ ଦୁର୍ନୀତି ପେଡ଼ି ଖୋଲୁଥିବାବଳେ ଆକାଶ ପାଠକ ତାଙ୍କର କର୍ମଚାରୀ ନ ଥିବା ଟାଟା ମୋର୍ଟ ସ୍ପଷ୍ଟୀକରଣ ଦେଇଛି।
ପ୍ରଦୀପ ହାଇକୋର୍ଟଙ୍କ ଦ୍ୱାରସ୍ଥ
ଟାଟା କମ୍ପାନୀରେ ନିଯୁକ୍ତି ଜାଲିଆତି ମାମଲାରେ କ୍ରାଇମବ୍ରାଞ୍ଚ ଦ୍ୱାରା ଗିରଫ ହୋଇ ଜେଲ ଯାଇଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେ ଶୁକ୍ରବାର ଓକିଲଙ୍କ ମାଧ୍ୟମରେ ହାଇକୋର୍ଟରେ ଜାମିନ ପାଇଁ ଆବେଦନ କରିଛନ୍ତି।