ବିବାଦ ମଧ୍ୟରେ ‘ଆଦିପୁରୁଷ’କୁ ନେଇ ମେକର୍ସଙ୍କ ବଡ ନିଷ୍ପତ୍ତି

ମୁମ୍ବାଇ: ପ୍ରଭାସ ଷ୍ଟାରର ମୁଭି ‘ଆଦିପୁରୁଷ’ ଲଗାତାର ବିବାଦରେ ଫସି ରହୁଥିବାରୁ ଏହାକୁ ଦେଖି ଏବେ ମେକର୍ସ ଏକ ବଡ ନିଷ୍ପତ୍ତି ନେଇଛନ୍ତି । ଏହାର ବିଏଫଏକ୍ସକୁ ନେଇ ବାରମ୍ବାର ବିରୋଧର ସାମ୍ନା କରୁଥିବା ଫିଲ୍ମର ଟିମ ଏବେ ଏହାର ରିଲିଜ୍‌କୁ ଆଉ କିଛିଦିନ ଆଗକୁ ବଢାଇ ଦେଇଛନ୍ତି । ଏବେ ଏହି ଫିଲ୍ମ ଆସନ୍ତା ବର୍ଷ ଜୁନରେ ରିଲିଜ୍ ହେବ ବୋଲି ଜଣାପଡିଛି ।
ଫିଲ୍ମକୁ ନେଇ ମେକର୍ସ ଏକ ଅଫିସିଆଲ ବୟାନ ଜାରି କରିଛନ୍ତି । ଏଥିରେ କୁହାଯାଇଛି, ‘ଆଦିପୁରୁଷ କେବଳ ଏକ ଫିଲ୍ମ ନୁହେଁ, ପ୍ରଭୁ ଶ୍ରୀରାମଙ୍କ ପ୍ରତି ଭକ୍ତି ଓ ଆମର ଗୌରବଶାଳୀ ଇତିହାସ ଓ ସଂସ୍କୃତି ପ୍ରତି ଆମର ପ୍ରତିବଦ୍ଧତାର ପ୍ରତିକ । ଦର୍ଶକଙ୍କୁ ଏକ ଅଦ୍ଭୁତ ଅନୁଭବ ଦେବାକୁ ଆଦିପୁରୁଷ ନିର୍ମାଣ ସହ ଜଡିତ ଲୋକଙ୍କୁ ଆଉ ଟିକେ ଅଧିକ ସମୟ ଦେବାର ଆବଶ୍ୟକତା ରହିଛି । ଆଦିପୁରଷ ଏବେ ଆସନ୍ତା ବର୍ଷ ୧୬ ଜୁନ ୨୦୨୩ରେ ରିଲିଜ୍ ହେବ । ଆମେ ଏମିତି ଏକ ଫିଲ୍ମ ନିର୍ମାଣ କରିବାକୁ ପ୍ରତିବଦ୍ଧ ହୋଇଛି ଯାହାକୁ ନେଇ ସାରା ଭାରତ ଗର୍ବ କରିବ । ଏହି ରାମକାର୍ଯ୍ୟରେ ଆପଣଙ୍କ ସହଯୋଗ, ଭଲ ପାଇବା ଓ ଆଶୀର୍ବାଦ ଆମକୁ ସଦୈବ ପ୍ରେରଣା ଦେଉଛି ଓ ଦେଉଥିବ ।
ସୂଚନାଯୋଗ୍ୟ, ଫିଲ୍ମ ‘ଆଦିପୁରୁଷ’ର ଟିଜର ରିଲିଜ୍ ହେବା ପରଠାରୁ ଲଗାତାର ଏହାକୁ ନେଇ ବିବାଦ ଦେଖାଦେଇଥିଲା । ଏଥିରେ ବ୍ୟବାହର କରାଯାଇଥିବା ବିଏଫଏକ୍ସକୁ ନେଇ ଲଗାତାର ବିବାଦ ମୁଣ୍ଡ ଟେକୁଥିଲା ।

Share